୨୫ ଦିନଧରି ସମୁଦ୍ରରେ ଫଶି ରହିଛନ୍ତି ୧୦୦ରୁ ଅଧିକ ରୋହିଙ୍ଗ୍ୟା, ୨୦ ଜଣଙ୍କର ହେଲାଣି ମୃତ୍ୟୁ
21/12/2022 at 10:09 PM

ନୂଆଦିଲ୍ଲୀ, ୨୧/୧୨: ଆଣ୍ଡାମାନ୍ ଦ୍ୱିପ ନିକଟସ୍ଥ ସମୁଦ୍ରରେ ଫଶି ରହିଛନ୍ତି ୧୦୦ରୁ ଅଧିକ ରୋହିଙ୍ଗ୍ୟା । ବିନା ଖାଦ୍ୟ ପାନୀୟରେ ସେମାନେ ଦୁଇ ସପ୍ତାହରୁ ଅଧିକ ସମୟ ସମୁଦ୍ର ଭିତରେ ଏକ ବୋଟ୍ରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ଏବଂ ଶିଶୁଙ୍କର ଖାଦ୍ୟ ଅଭାବରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ୧୬ରୁ ୨୦ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଛି । ଏଥି ସହିତ କିଛି ବ୍ୟକ୍ତିଙ୍କର ସମୁଦ୍ରରେ ବୁଡ଼ି ମଧ୍ୟ ମୃତ୍ୟୁ ହୋଇଛି ।
ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦିଲ୍ଲୀର ଜଣେ ସମାଜସେବୀ ପ୍ରିୟାଲି ସୂର ସେମାନଙ୍କୁ ଡିସେମ୍ୱର ୭ରେ ଯୋଗାଯୋଗ କରିଥିଲେ । ସେତେବେଳେ ସେମାନଙ୍କର ୨ଟି ଶୁଶୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଆଉ ଦୁଇଜଣ ବ୍ୟକ୍ତି ସମୁଦ୍ର ମଝିରେ ପାଣିକୁ ଡେଇଁ ପଡ଼ିଥିବା ସୂଚନା ମଧ୍ୟ ସେ ପାଇଥିଲେ । ହେଲେ ତାହା ନିର୍ଦ୍ଧିଷ୍ଟ ନଥିବା ସେ ପ୍ରକାଶ କରିଛନ୍ତି । ପାଖାପାଖି ସେମାନେ ୨୫ ଦିନ ଧରି ସମୁଦ୍ର ଭିତରେ ଅଛନ୍ତି । ହେଲେ ସେମାନଙ୍କ ନିକଟରେ କିଛି ଖାଇବାକୁ ଖାଦ୍ୟ ନାହଁ କି ପିଇବା ପାଇଁ ପାଣି ନାହିଁ ବୋଲି ସେ କହିଛନ୍ତି ।
ଅନ୍ୟପଟେ ଏସିଆ ପାସିଫିକ୍ ରିଫ୍ୟୁଜି ରାଇଟ୍ସ ନେଟ୍ୱାର୍କ ଏନେଇ କହିଛି ଯେ ରୋହିଙ୍ଗ୍ୟା ମାନେ ଦୁଇ ସପ୍ତାହରୁ ଅଧିକ ସମୟ ଧରି ସମୁଦ୍ରରେ ଫଶି ରହିଛନ୍ତି । ଆମେ ସେମାନଙ୍କ ସମ୍ୱନ୍ଧରେ ଗତକାଲି ସୂଚନା ପାଇଲୁ । ଭାରତର କିଛି ଜାହାଜ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଥିବା ଆମେ ଖବର ପାଇଛୁ । ଆମେ ଆଶା କରୁଛୁ କି ଭାରତୀୟ ନୌସେନା ଏବଂ ତଟବାହିନୀ ସେମାନଙ୍କୁ ଖୁବ୍ଶୀଘ୍ର ଉଦ୍ଧାର କରିବେ ।