ବ୍ରାଜିଲରେ ୧୦୦ରୁ ଅଧିକ ଡଲଫିନ୍ଙ୍କ ମୃତ୍ୟୁ, ଚିନ୍ତାରେ ପରିବେଶ ବିଜ୍ଞାନୀ
2/10/2023 at 10:58 PM

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକା ମହଦ୍ବୀପର ବ୍ରାଜିଲରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏଠାରେ ବର୍ତ୍ତମାନ ଥିବା ଶୁଷ୍କ ଜଳବାୟୁ ଏବଂ ଆମାଜନ ନଦୀ ଜଳର ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିଛି। ଫଳରେ ଏଠାରେ ୧୦୦ରୁ ଅଧିକ ଡଲ୍ଫିନ୍ଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି ଆମାଜନ ନଦୀର କିଛି ସ୍ଥାନରେ ପାଣିର ତାପମାତ୍ରା ୧୦୨ ଡିଗ୍ରୀ ଫାରେନହାଇଟ୍ରୁ ଅଧିକ ରହିଛି। ଆଉ ଏହି କାରଣରୁ ଧୀରେ ଧୀରେ ଏଠାରେ ଡଲଫିନ୍ଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।
ଏଭଳି ସୂଚନା, ବ୍ରାଜିଲ୍ର ମାମିରୋଆ ଇନଷ୍ଟିଚ୍ୟୁଟ୍ ତରଫରୁ ଦିଆଯାଇଛି। ବଡ଼ କଥା ହେଉଛି ମାତ୍ର ସାତ ଦିନ ମଧ୍ୟରେ ଏତେ ସଂଖ୍ୟକ ଡଲଫିନ୍ ଲେକ୍ ଟେଫେ୍ରେ ମିଳିଛନ୍ତି। ସଂସ୍ଥାନର କହିବା ଅନୁଯାୟୀ ଏତେ ସଂଖ୍ୟକ ଡଲଫିନ୍ଙ୍କ ମୃତ୍ୟୁ ସାମାନ୍ୟ ନୁହେଁ। ହ୍ରଦ ପାଣିର ତାପମାତ୍ରା ରେକର୍ଡ ସ୍ତର ଛୁଇଁଥିଲା, ଯାହା ଆମାଜନ ବେସିନ୍ରେ ଚଳିତ ବର୍ଷ ଅନୁଭୂତ ହୋଇଥିବା ରେକର୍ଡ ସ୍ତରର ଶୁଷ୍କତା କାରଣରୁ ହୋଇପାରେ। ତେବେ ଏହି ଖବର ଦୁନିଆର ପାଣିପାଗ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି। ବୈଜ୍ଞାନିକମାନେ ବଢ଼ୁଥିବା ଗରମ ଏବଂ ଶୁଷ୍କତା କାରଣରୁ ମଣିଷ ଉପରେ ପଡ଼ୁଥିବା ପ୍ରଭାବରୁ ଚିନ୍ତିତ।
ଆହୁରି ପଢ଼ନ୍ତୁ: ମହାକାଶରୁ କିପରି ଦେଖାଯାଉଛି ହିମାଳୟ, ଦେଖନ୍ତୁ
ସୂଚନାଥାଉକି, ଆମାଜନ ନଦୀ ଦୁନିଆର ସବୁଠୁ ବଡ଼ ଜଳମାର୍ଗ। ବର୍ତ୍ତମାନ ସେଠାରେ ଶୁଷ୍କ ପାଣିପାଗ ସ୍ଥିତି ରହିଛି । ଆଉ ଏହି କାରଣରୁ ରେକର୍ଡ ସ୍ତରରେ ପହଞ୍ଚିଛି ତାପମାତ୍ରା। ଫଳରେ ଅନେକ ନଦୀ ଜୀବ ଏଥିରେ ପ୍ରଭାବିତ ହୋଇଛନ୍ତି। ଆଉ ଏତେ ବଡ଼ ଆକାରରେ ଜଳଜୀବଙ୍କ ମୃତ୍ୟୁ ପରେ ଗବେଷଣା ବିଜ୍ଞାନୀ ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ କାମ କରୁଥିବା ଏଜେନ୍ସୀ ଏବେ ଆମାଜନରୁ ଡଲଫିନ୍କୁ ବଞ୍ଚାଇବା ପାଇଁ ଯୋଡ଼ିହୋଇଛନ୍ତି।
ସିଏନଏନର ରିପୋର୍ଟ ଅନୁଯାୟୀ ଗବେଷକ ଏବଂ କର୍ମକର୍ତ୍ତା ଜୀବିତ ରହିଥିବା ଡଲଫିନ୍ଙ୍କୁ ହ୍ରଦରୁ ନଦୀର ମୁଖ୍ୟ ଭାଗକୁ ସ୍ଥାନାନ୍ତରିତ କରି ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଯେଉଁଠାରେ ପାଣି ଥଣ୍ଡା, ହେଲେ ଦୂରତା କାରଣରୁ ଏହି ଅପରେସନ ସହଜ ହେଉନାହିଁ।
ଆହୁରି ପଢ଼ନ୍ତୁ: ହିମାଳୟରେ ମିଳିଲା ୬୦ କୋଟି ବର୍ଷ ପୁରୁଣା ସମୁଦ୍ର ପାଣି, ଭାରତ ଏବଂ ଜାପାନ ବୈଜ୍ଞାନିକଙ୍କ ସଫଳତା
ଆମାଜନରେ ଶୁଷ୍କତାର ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ପଡ଼ୁଛି। ଆମାଜନ ନଦୀ ବେସିନ ୫୯ ନଗରପାଳିକାରେ ଜଳସ୍ତର ହାରାହାରି ଠାରୁ ତଳକୁ ଖସିଛି। ଏହାଦ୍ବାରା ଜଳ ପରିବହନ ଏବଂ ମାଛ ବ୍ୟବସାୟୀଙ୍କ ପାଇଁ ବ୍ୟବସାୟରେ ବାଧା ଉତ୍ପନ୍ନ ହୋଇଛି। ଅଧିକାରୀମାନେ ଆଶଙ୍କା କରିଛନ୍ତି ଯେ, ଆସନ୍ତା କିଛି ଦିନରେ ଶୁଷ୍କ ସଙ୍କଟ ଗୁରୁତର ହୋଇପାରେ। ଏହାର ପରିଣାମସ୍ବରୂପ ଆହୁରି ଡଲଫିନ୍ଙ୍କ ମୃତ୍ୟୁ ହୋଇପାରେ।