ତାଲିବାନଙ୍କ ସହଯୋଗୀ ଆତଙ୍କବାଦୀ କିନ୍ତୁ ଆହୁରି ନିଷ୍ଠୁର ଅଧିକ ଭୟଙ୍କର, ଆଫଗାନିସ୍ତାନ ସମେତ ୪ ଦେଶରେ ଅଛନ୍ତି ସକ୍ରିୟ

Published By : Prameya-News7 Bureau | August 24, 2021 IST

କାବୁଲ, ୨୪|୦୮:   ଆଫଗାନିସ୍ତାନରେ ତାଲିବାନର ରାଜ୍ ଆରମ୍ଭ ହୋଇଛି । ସାରା ବିଶ୍ୱ ଏବେ ଚିନ୍ତା ଓ ଆଶଙ୍କାରେ ରହିଛି । ଆଫଗାନ ମାଟିରୁ ଅନ୍ୟ ଦେଶ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ସନ୍ଦେହ ସୃଷ୍ଟି ହୋଇଛି । ୧୯୯୬ରୁ ୨୦୦୧ ମଧ୍ୟରେ ଶାସନରେ ଥିବା ବେଳେ ତାଲିବାନ ଅଲକାଏଦାକୁ ଇନ୍ଧନ ଯୋଗାଇଥିଲା । ଏବେ ତାଲିବାନ ସହ ଅନେକ ଆତଙ୍କବାଦୀ ସଙ୍ଗଠନର ସମ୍ପର୍କ ରହିଛି ।

ଅଲକାଏଦା

ତାଲିବାନ ପରେ ଅଲକାଏଦା ଏବେ ଆଫଗାନିସ୍ତାନରେ ନିଜର ନେଟଓ୍ୱାର୍କ ବିସ୍ତାର କରିବା ଆରମ୍ଭ କଲାଣି । ଏହାର ନେତୃତ୍ୱ ନେଉଛି ଅୟମାନ୍ ଅଲ୍ ଜବାହିରୀ । ଏହି ଦୁଇ ଆତଙ୍କୀ ସଙ୍ଗଠନ ମଧ୍ୟରେ ୧୯୯୦ରୁ ସମ୍ପର୍କ ରହିଛି । ତାଲିବାନର ରାଜ୍ ପରେ ଅଲକାଏଦାର ନେତା ଖୁସି ମନାଉଥିବା ଭିଡିଓ ଓ ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

ଏକ୍ସଆଇଏସ

ଆଉ ଏକ ଆତଙ୍କବାଦୀ ସଙ୍ଗଠନ ହେଉଛି ଏକ୍ସଆଇଏସ ଅର୍ଥାତ ଅଲକାଏଦା ଇନ୍ ଇଣ୍ଡିଆନ୍ ସବକଣ୍ଟିନେଣ୍ଟ୍ । ଏହା ଅଲକାଏଦାରୁ ଭିନ୍ନ ଅଟେ । ଏହି ସଙ୍ଗଠନ ଆଫଗାନିସ୍ତାନରେ ତାଲିବାନକୁ ପୂର୍ବରୁ ସମର୍ଥନ କରିବା ସହ ଆମେରିକା ସୈନ୍ୟଙ୍କ ବିରୋଧରେ ମଧ୍ୟ ଲଢିଛି ।

ଇସଲାମିକ୍ ଷ୍ଟେଟ୍ ଖୋରାସନ୍ ପ୍ରୋଭିନ୍ସ ଅର୍ଥାତ ଆଇଏସକେପି

ଏହି ସଙ୍ଗଠନ ୨୦୧୫ରୁ ଆଫଗାନିସ୍ତାନରେ ସକ୍ରିୟ ଅଛି । ଏହା ଆଇଏସଆଇଏସର ଏକ ଛାମୁଆ ସଙ୍ଗଠନ । ଏଥିରେ ପାକିସ୍ତାନର ଅନେକ ଆତଙ୍କବାଦୀ ରହିଛନ୍ତି । ସଙ୍ଗଠନରେ ୧୫୦୦ରୁ ୨୨୦୦ ଆତଙ୍କୀ ଥିବା ଅନୁମାନ କରାଯାଉଛି ।

ହକ୍କାନୀ

ହକ୍କାନୀ ସହ ତାଲିବାନର ସମ୍ପର୍କ ବହୁତ ପୁରୁଣା । ଆଫଗାନିସ୍ତାନରେ ଏହା ଏକ ଦୁର୍ଦ୍ଦାନ୍ତ ସଙ୍ଗଠନ । ଏହାର ନେତୃତ୍ୱ ନେଉଛି  ସିରାଜୁଦ୍ଦୀନ ହକ୍କାନୀ । ବହୁତ ବଡ ବଡ ଆତଙ୍କବାଦୀ ଆକ୍ରମଣ ପଛରେ ଏହାର ହାତ ରହିଛି ।

ଟିଟିପି

ତେହରିକ୍ ଏ ତାଲିବାନ ପାକିସ୍ତାନୀ ଧିରେଧିରେ ତାର କାୟା ମେଲାଇବାରେ ଲାଗିଛି । ଏହି ସଙ୍ଗଠନ ପାକିସ୍ତାନରେ ଅନେକ ଆକ୍ରମଣ କରିଛି । ତାଲିବାନ ସହ ମିଶି ଏହା ଆଫଗାନ୍ ସରକାର ବିରୋଧରେ ମଧ୍ୟ ଯୁଦ୍ଧ କରିଛି ।

ଇସଲାମିକ ମୁଭମେଣ୍ଟ୍ ଅଫ୍ ଉଜ୍ଜବେକିସ୍ତାନ

୧୯୯୨ରୁ ୧୯୯୭ ଯାଏଁ ଏହି ସଙ୍ଗଠନ ତାଜାକିସ୍ତାନରେ ଗୃହଯୁଦ୍ଧରେ ସାମିଲ ଥିଲା । ଏହା ଅଲକାଏଦାର ମୁଖ୍ୟ ସହଯୋଗୀ ଭାବେ ପରିଚିତ ।

ଇଷ୍ଟର୍ଣ୍ଣ ତୁର୍କିସ୍ତାନ ଇସଲାମିକ ମୁଭମେଣ୍ଟସ୍

ଏହି ସଙ୍ଗଠନ ତୁର୍କିସ୍ତାନରେ ଇସଲାମୀ ସଙ୍ଗଠନ ଭାବେ କୁଖ୍ୟାତି ଅର୍ଜନ କରିଛି । ଏହା ଉଇଗର ମୁସଲମାନଙ୍କ ପାଇଁ ଭିନ୍ନ ଏକ ଦେଶ ଦାବି କରୁଛି । ଏହି ସଙ୍ଗଠନର ସମ୍ପର୍କ ଅଲକାଏଦା ସହ ରହିଛି । ଏହାର ସଦସ୍ୟ ପୂର୍ବ ଆଫଗାନିସ୍ତାନରେ ଅଧିକ ମାତ୍ରାରେ ରହିଥିବା ୟୁଏନର ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.