ବୁଡ଼ିଗଲା ଯାତ୍ରୀବାହୀ ପ୍ରବାସୀଙ୍କ ବୋଟ୍‌, ୨୯ ଉଦ୍ଧାର, ୫୦ରୁ ଅଧିକ ନିଖୋଜ

Published By : Prameya-News7 Bureau | August 10, 2022 IST

ଆଥେନ୍ସ୍‌, ୧୦/୦୮: ଏଜିଆନ୍‌ ସମୁଦ୍ରରେ ବୁଡ଼ିଗଲା ପ୍ରବାସୀଙ୍କ ବୋଟ୍‌ । ନିଖୋଜ ହୋଇଗଲେ ୫୦ରୁ ଅଧିକ ପ୍ରବାସୀ । ଗ୍ରୀକ୍‌ ଅନ୍ତର୍ଗତ ଏଜିଆନ୍‌ ସମୁଦ୍ରରେ ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି । ୮୦ ଜଣ ପ୍ରବାସୀଙ୍କୁ ନେଉ ଯାଉଥିବା ବୋଟ୍‌ଟି କୌଣସି କାରଣରୁ ବୁଡ଼ି ଯାଇଛି । ଫଳରେ ଏହି ଦୁର୍ଘଟଣାରେ ୨୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫୦ରୁ ଅଧିକ ନିଖୋଜ ଥିବା ଜଣାପଡ଼ିଛି ।

ମଙ୍ଗଳବାର ଦିନ ଦକ୍ଷିଣ ତୁର୍କୀର ଆଣ୍ଟାଲିଆରୁ ଇଟାଲୀ ଅଭିମୁଖେ ଯାତ୍ରା କରିବା ପରେ କର୍ପାଥୋସ୍ ଏବଂ ରୋଡସ୍ ଦ୍ୱୀପପୁଞ୍ଜ ଦେଇ ଏହି ଜାହାଜଟି ଇଟାଲୀ ଅଭିମୁଖେ ଯାତ୍ରା କରୁଥିଲା । ହେଲେ କୌଣସି କାରଣରୁ ବୁଡ଼ିଯାଇଥିବା ବେଳେ ଯାତ୍ରୀ ନିଖୋଜ ରହିଥିବା ନେଇ ଗ୍ରୀକ୍‌ ତଟରକ୍ଷୀ ବାହିନୀ କହିଛି । କିନ୍ତୁ ସ୍ଥାନୀୟ ଟିଭି ଚ୍ୟାନେଲ୍‌ ବୋଟ୍‌ରେ ଏତେ ସଂଖ୍ୟକ ଯାତ୍ରୀ ଯାତ୍ରା କରିପାରିବେ ନାହିଁ ବୋଲି କହିଛି । ବୋଟ୍‌ରେ ୩୦ରୁ ୬୦ ଜଣ ଯାତ୍ରା କରିଥିବେ ବୋଲି ଏହି ଚ୍ୟାନେଲ୍‌ କହିଛି ।

ତେବେ ଏହି ଦୁର୍ଘଟଣା ନେଇ ଗ୍ରୀକ୍‌ର ମର୍ଚାଣ୍ଟ୍‌ ସିପିଂ ମିନିଷ୍ଟର ୟାନିସ୍‌ ପ୍ଲାକିଓଟାକିସ୍‌ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉଦ୍ଧାର କାର୍ଯ୍ୟରେ ୪ଟି ବୋଟ୍‌ ଦକ୍ଷୀଣ ସମୁଦ୍ରରେ ଲାଗିଥିବା ବେଳେ ଦୁଇଟି ତଟରକ୍ଷୀ ବାହିନୀର ପେଟ୍ରୋଲ୍‌ ବୋଟ୍‌ ଏବଂ ଗ୍ରୀକ୍‌ର ବାୟୁସେନାର ହେଲିକପ୍ଟର ନିୟୋଜିତ ହୋଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.