ମେ ୨୭ରେ କେରଳ ଛୁଇଁବ ମୌସୁମୀ ! ଜୁନ ଆରମ୍ଭରୁ ଭିଜିବ ଓଡିଶା

Published By : Prameya-News7 Bureau | May 14, 2022 IST

ନୂଆଦିଲ୍ଲୀ ୧୪/୦୫:  ଏଥର ସଅଳ ଆସିପାରେ ମୌସୁମୀ । ୩/୪ ଦିନ ଆଗୁଆ ଛୁଇଁପାରେ କେରଳ ଉପକୂଳ । ସମ୍ଭବତଃ ଆସନ୍ତା ୨୭ ତାରିଖବେଳକୁ । ଏମିତି ଆକଳନ ଦେଖାଇଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) । ଓଡ଼ିଶାକୁ ବି ମୌସୁମୀ ଆଗୁଆ ଆସିପାରେ । ଜୁନ୍‌ ପ୍ରଥମ ସପ୍ତାହରେ (ଜୁନ୍‌ ୫-୬) ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ମାଟିକୁ ଭିଜାଇବ ବୋଲି ଅନୁମାନ କରାଯାଉଛି ।

ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ଜୁନ୍‌ ୩/୪ ତାରିଖବେଳକୁ ରାଜ୍ୟରେ ତାପମାତ୍ରା କମିବା ସମ୍ଭାବନା ପରିଲକ୍ଷିତ ହେଉଛି । ଅନୁମାନ କରାଯାଉଛି, ସେତେବେଳେ ମୌସୁମୀ ପାଇଁ ପାଗ ଅନୁକୂଳ ରହିବ । ତେଣୁ ଜୁନ୍‌ ପ୍ରଥମ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁପାରେ । ଦେଶର କୃଷି ଭିତ୍ତିକ ଅର୍ଥନୀତିର ଜୀବନରେଖା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଜୁନ ୧ ତାରିଖବେଳକୁ କେରଳରେ ପହଞ୍ଚିଥାଏ । ମାତ୍ର ଏ ବର୍ଷ ୪ ଦିନ ଆଗୁଆ ଆସିପାରେ । ସେହିଭଳି ଆସନ୍ତା ୨-୩ ଦିନ ଭିତରେ ଅର୍ଥାତ ୧୫ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ପହଞ୍ଚିବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି ।

ସାଧାରଣତଃ କେରଳ ଛୁଇଁବାର ୧୦ ଦିନ ଭିତରେ ମୌସୁମୀ ଓଡ଼ିଶାରେ ପାଦ ଥାପିଥାଏ । ବିଶେଷଜ୍ଞଙ୍କ ଆକଳନ ମୁତାବକ, ଯେହେତୁ ଏଥର ମୌସୁମୀ ୨୭ ତାରିଖରେ କେରଳ ଛୁଇଁବା ସମ୍ଭାବନା ଥିବାରୁ ଓଡ଼ିଶାରେ ଜୁନ୍‌ ପ୍ରଥମ ସପ୍ତାହ ଶେଷବେଳକୁ ଆସିପାରେ ।
ଚଳିତବର୍ଷ ଦେଶରେ ମୌସୁମୀରେ ବର୍ଷା ସ୍ୱାଭାବିକ ରହିବ ବୋଲି ଆଇଏମଡି ପୂର୍ବରୁ ଆକଳନ କରିଛି ।ଓଡ଼ିଶାରେ ବି ଭଲ ବର୍ଷା ହେବ ବୋଲି ଆଇଏମଡି ଆଶା ଦେଖାଇଛି । ମାତ୍ର ପାଣିପାଗର ପରିବର୍ତ୍ତିତ ରୂପରେଖ ଯୋଗୁ ଏ ବର୍ଷ ମୌସୁମୀ ଧୋକା ଦେଇପାରେ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି ।

ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥାର ପୂର୍ବାନୁମାନକୁ ଆଧାର କରି ବିଶେଷଜ୍ଞ ଆକଳନ କରିଛନ୍ତି, ଆସନ୍ତା ଅଗଷ୍ଟ ମାସବେଳକୁ ଇଣ୍ଡିଆନ ଓସନ ଡାଇପୋଲ (ଆଇଓଡି) ନେଗେଟିଭ୍‌ରେ ରହିବ । ବିଷୁବ ମଣ୍ଡଳୀୟ ଆଫ୍ରିକା ନିକଟସ୍ଥ ଭାରତ ମହାସାଗରରେ ତାପମାତ୍ରା ସ୍ୱାଭାବିକଠାରୁ କମ୍‌ କିମ୍ବା ପଶ୍ଚିମ ଇଣ୍ଡୋନେସିଆ ନିକଟରେ ଜଳପତ୍ତନର ତାପମାତ୍ରା ଅଧିକ ରହିଲେ ଆଇଓଡି ନେଗେଟିଭ୍‌ କୁହାଯାଏ । ଫଳରେ ଭାରତକୁ ପଶ୍ଚିମା ପବନ ଶକ୍ତିଶାଳୀ ହୋଇଥାଏ । ଏଥିଯୋଗୁ ବଙ୍ଗୋପସାଗର ମୌସୁମୀ ବର୍ଷା ଦୁର୍ବଳ ହୋଇଥାଏ । ତେଣୁ ଓଡ଼ିଶା ଆଦି ରାଜ୍ୟରେ ମୌସୁମୀ ବର୍ଷା କମିଯାଏ । ଆଇଓଡି ପଜିଟିଭ୍‌ ରହିଲେ ବଙ୍ଗୋପସାଗର ମୌସୁମୀ ବର୍ଷା ଶକ୍ତିଶାଳୀ ହୋଇଥାଏ ।

ଏହି ଆକଳନ ଅନୁୟାୟୀ ଭାରତରେ ପ୍ରଥମ ଦୁଇ ମାସ (ଜୁନ୍‌, ଜୁଲାଇ) ମୌସୁମୀ ବର୍ଷା ଭଲ ରହିପାରେ । ମାତ୍ର ମୌସୁମୀ ଦ୍ୱିତୀୟାର୍ଦ୍ଧରେ (ଅଗଷ୍ଟ, ସେପ୍ଟେମ୍ବର) ବର୍ଷା ସଙ୍କଟ ଉପୁଜିପାରେ । ପ୍ରଥମାର୍ଦ୍ଧରେ ଭଲ ବର୍ଷା ହେଲେ ପଞ୍ଜାବ ଓ ହରିୟାଣାରେ ଚାଷ ପାଇଁ ଭଲ ହେବ । ମାତ୍ର ଅଗଷ୍ଟରୁ ବର୍ଷା କମିପାରେ । ତେବେ ଓଡ଼ିଶା ସମେତ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର ଆଦି ରାଜ୍ୟରେ ଚାଷ ପ୍ରଭାବିତ ହେବ । ଓଡ଼ିଶାରେ ଧାନ ଚାଷ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି । ଗତବର୍ଷ ବର୍ଷା ଅଭାବରୁ ରାଜ୍ୟରେ ମରୁଡ଼ି ସ୍ଥିତି ଉପୁଜିଥିଲା ରାଜ୍ୟର ଅନେକ ଅଞ୍ଚଳରେ ।

ରାଜ୍ୟରେ ପୁଣି ଗରମ ବଢ଼ିବାରେ ଲାଗିଛି । ଶୁକ୍ରବାର ସୋନପୁର ତାପମାତ୍ରା ୪୨.୫ ଡିଗ୍ରୀ ସେଲସିୟସ୍‌ ଛୁଇଁଥିବାବେଳେ ଟିଟିଲାଗଡ଼ ୪୧.୭, ବଲାଙ୍ଗିର ୪୧.୩, ଭବାନୀପାଟଣା ୪୦.୫, ଝାରସୁଗୁଡ଼ା ୪୧.୧, ସମ୍ବଲପୁର ୪୦.୯, ସୁନ୍ଦରଗଡ଼ ୪୦, ବରଗଡ଼ ୪୦, ନୂଆପଡ଼ା ୪୦.୪ ଡିଗ୍ରୀ ରେକର୍ଡ ହୋଇଛି । ଉପକୂଳ ଓଡ଼ିଶାରେ ପାରଦ ୩୭ ଡିଗ୍ରୀ ଟପିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.