ରକେଟ୍ ବେଗରେ ବଢୁଛି ଭାରତର ଅର୍ଥନୀତି, ୨୦୨୪ ପାଇଁ ଜିଡିପି ଅନୁମାନ ୬.୧%ରୁ ବଢାଇ ୬.୮% କଲା ମୁଡିଜ୍

Published By : Prameya-News7 Bureau | March 04, 2024 IST

ନୂଆଦିଲ୍ଲୀ: ଦେଶର ଅର୍ଥନୀତିକୁ ନେଇ ଆଉ ଏକ ଭଲ ଖବର ସାମନାକୁ ଆସିଛି । ଗ୍ଲୋବାଲ ରେଟିଂ ଏଜେନ୍ସି ମୁଡିଜ୍ ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ଭାରତର ଅଭିବୃଦ୍ଧି ହାର ଅନୁମାନକୁ ବଢାଇ ୬.୮ ପ୍ରତିଶତ କରିଛି । ଏହା ପୂର୍ବରୁ ରେଟିଂ ଏଜେନ୍ସି ୨୦୨୪ରେ ଭାରତୀୟ ଅର୍ଥବ୍ୟବସ୍ଥା ୬.୧ ପ୍ରତିଶତ ହାରରେ ବଢିବା ନେଇ ଅନୁମାନ କରିଥିଲା । ୨୦୨୩ ମସିହାର ଚତୁର୍ଥ ତ୍ରୈମାସରେ ଭାରତର ଆର୍ଥିକ ଡାଟା ଆଶାଠାରୁ ବହୁ ଅଧିକ ରହିଥିଲା, ଏହାପରେ ମୁଡିଜ୍ ନିଜ ବୃଦ୍ଧି ହାର ଅନୁମାନକୁ ବଢାଇଛି । ୨୦୨୩ ମସିହା ତ୍ରୈମାସରେ ଭାରତର ଜିଡିପି ବୃଦ୍ଧି ୮.୪ ପ୍ରତିଶତ ରହିଥିଲା । ଏପରି ସ୍ଥିତିରେ ୨୦୨୩ରେ ଭାରତୀୟ ଅର୍ଥବ୍ୟବସ୍ଥା ୭.୭ ପ୍ରତିଶତ ହାରରେ ବଢୁଛି । ମୁଡିଜ୍ ଇନଭେଷ୍ଟର୍ସ ସର୍ଭିସ୍ ସୋମବାର କହିଛି ଯେ ସରକାରଙ୍କ ପୁଞ୍ଜିଗତ ବ୍ୟୟ ଏବଂ ମଜଭୁତ ବିନିର୍ମାଣ ଗତିବିଧି ୨୦୨୩ରେ ବୃଦ୍ଧି କ୍ଷେତ୍ରରେ ସଫଳ ଯୋଗଦାନ ଦେଇଛି ।

ରେଟିଂ ଏଜେନ୍ସିର ଅନୁମାନ ଯେ ବିଶ୍ୱ ସ୍ତରରେ ପ୍ରତିକୂଳ ପରିସ୍ଥିତି ଏବେ କମ ହୋଇଛି, ଯେଉଁ କାରଣରୁ ଭାରତ ସହଜରେ ଛଅରୁ ସାତ ପ୍ରତିଶତ ବୃଦ୍ଧି ରେକର୍ଡ କରିପାରେ । ମୁଡିଜ୍ କହିଛି, ଭାରତର ଅର୍ଥବ୍ୟବସ୍ଥା ଭଲ ପ୍ରଦର୍ଶନ କରୁଛି ଏବଂ ୨୦୨୩ରେ ଆଶାଠାରୁ ଅଧିକ ମଜଭୁତ ଡାଟା କାରଣରୁ ଆମେ ୨୦୨୪ ପାଇଁ ନିଜ ବୃଦ୍ଧି ହାର ଅନୁମାନ ୬.୧ ପ୍ରତିଶତକୁ ବଢାଇ ୬.୮ ପ୍ରତିଶତ କରିଛୁ । ଭାରତ ଜି-୨୦ ଦେଶଗୁଡ଼ିକ ମଧ୍ୟରେ ସବୁଠୁ ଦ୍ରୁତ ବେଗରେ ବଢୁଥିବା ଅର୍ଥବ୍ୟବସ୍ଥା ହୋଇ ରହିଛି । ମୁଡିଜ୍ କହିଛି ଯେ ୨୦୨୫ରେ ଭାରତର ସକଳ ଘରୋଇ ଉତ୍ପାଦର ବୃଦ୍ଧି ହାର ୬.୪ ପ୍ରତିଶତ ରହିବା ଅନୁମାନ ।

ପଢନ୍ତୁ: ଆଶାଠାରୁ ଅଧିକ ବେଗରେ ଦୌଡୁଛି ଦେଶର ଅର୍ଥବ୍ୟବସ୍ଥା, ତୃତୀୟ ତ୍ରୈମାସରେ ୮.୪% ରହିଲା ଜିଡିପି ଅଭିବୃଦ୍ଧି

ରେଟିଂ ଏଜେନ୍ସି କହିଛି ଯେ ଉଚ୍ଚ-ଆବୃତ୍ତିର ସଂକେତରୁ ଜଣାପଡ଼ୁଛି ଯେ ଅର୍ଥବ୍ୟବସ୍ଥାର ସେପ୍ଟେମ୍ୱର ଏବଂ ଡିସେମ୍ୱର ତ୍ରୈମାସର ମଜଭୁତ ଗତି ୨୦୨୪ ମାର୍ଚ୍ଚ ତ୍ରୈମାସରେ ଜାରି ରହିବ । ମୁଡିଜ୍ କହିଛି, ମଜଭୁତ ଜିଏସଟି ସଂଗ୍ରହ, ବଢୁଥିବା ବାହାନ ବିକ୍ରି, ଖାଉଟିଙ୍କ ଭରସା ଏବଂ ଦୁଇ ଅଙ୍କ ଋଣ ବୃଦ୍ଧିରୁ ଜଣାପଡ଼ୁଛି ଯେ ସହରରେ ଚାହିଦା ମଜଭୁତ ହୋଇ ରହିଛି । ଯୋଗାଣ ପକ୍ଷରେ ବିନିର୍ମାଣ ଏବଂ ସେବା ପିଏମଆଇର ବିସ୍ତାର ମଜଭୁତ ଆର୍ଥିକ ସ୍ଥିତିର ପ୍ରମାଣ । ଚଳିତ ବର୍ଷ ଅନ୍ତରୀଣ ବଜେଟରେ ପୁଞ୍ଜିଗତ ବ୍ୟୟ ପାଇଁ ୧୧.୧ ଲକ୍ଷ କୋଟି ଟଙ୍କା ବା ୨୦୨୪-୨୫ର ଜିଡିପିର ୩.୪ ପ୍ରତିଶତ ସହ ସମାନ । ଏହା ୨୦୨୩-୨୪ର ଅନୁମାନଠାରୁ ୧୬.୯ ପ୍ରତିଶତ ଅଧିକ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.