ମହଙ୍ଗା ମାଡ଼! ବିଗିଡିଲାଣି ମଧ୍ୟମବର୍ଗଙ୍କ ପାରିବାରିକ ବଜେଟ୍, ମାସିକ ହାରାହାରି ଘର ଖର୍ଚ୍ଚ ବଢିଛି ୨ ହଜାର ଟଙ୍କା

Published By : Prameya-News7 Bureau | June 24, 2021 IST

ନୂଆଦିଲ୍ଲୀ ୨୪।୬:  ତୈଳ କମ୍ପାନୀମାନେ ରାତି ପାହିଲେ ମୂଲ୍ୟ ସୁଧାର କରିଦେଉଛନ୍ତି। ପେଟ୍ରୋଲ, ଡିଜେଲ ସାଙ୍ଗକୁ ରୋଷେଇ ଗ୍ୟାସ୍‌ ଦର ବଢିବଢି ଚାଲିଛି। କରୋନା କାଳରେ ଲୋକେ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗୁଥିବାବେଳେ ଆୟ ମଧ୍ୟ ପ୍ରଭାବିତ ହୋଇଛି। ଏଥିରେ ଇନ୍ଧନ ମୂଲ୍ୟ ବୃଦ୍ଧି ସହ ତାଳ ଦେଇ ବଜାରରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅତ୍ୟାଧିକ ମୂଲ୍ୟବୃଦ୍ଧି ଲୋକଙ୍କ ଅଣ୍ଟା ନୁଆଁଇଦେଲାଣି। ଏକ  ହିସାବରୁ ଏବେ ମଧ୍ୟମ ଆୟକାରୀ ବର୍ଗ ପରିବାରର ମାସିକ ଘର ଖର୍ଚ୍ଚ  ଗତବର୍ଷ ଅପେକ୍ଷା ପ୍ରାୟ ୨ ହଜାର ଟଙ୍କାରୁ ଅଧିକ ବଢିଥିବା ଜଣାପଡିଛି।

ପେଟ୍ରୋଲ ଡିଜେଲ ଭଳି ଲୋକଙ୍କ ଘରର ଖର୍ଚ୍ଚ ବୃଦ୍ଧିରେ ଖାଦ୍ୟ ତେଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ମାତ୍ର ବର୍ଷକରେ ଲିଟରପିଛା ଖାଇବା ତେଲ ଦର ଦୁଇଗୁଣା ହୋଇଯାଇଛି। କିଛି ସମୟ ପୂର୍ବର ବଜାର ପରିସ୍ଥିତି ଏବେ ବଦଳି ଯାଇଛି। ଖାଇବା ତେଲ ପରେ ଡାଲି ମଧ୍ୟ ଲୋକଙ୍କ ଘରର ଖର୍ଚ୍ଚ ବିଗାଡି ଚାଲିଛି। ଡାଲି ଗତବର୍ଷ ଯେଉଁ ଦରରେ ବିକ୍ରି ହେଉଥିଲା ଚଳିତ ବର୍ଷ କେଜି ପିଛା ୩୦ରୁ ୩୫ ଟଙ୍କା ଅଧିକ ଦରରେ ବିକ୍ରି ହେଉଛି। ଯଦିଓ ଏହା ଖାଇବା ତେଲ ପରି ଦୁଇଗୁଣା ଦାମରେ ବିକ୍ରି ହେଉନି ତଥାପି ଲୋକଙ୍କ ଖର୍ଚ୍ଚ ବୃଦ୍ଧିରେ ସହାୟକ ହୋଇଥିବା ଦେଖାଯାଇଛି।

{"id":470559,"sizeSlug":"large","linkDestination":"none"}

ତେବେ ବଜାରଦର ଓ ପାରିବାରିକ ଖର୍ଚ୍ଚରେ ଏବେ ଆକାଶ ପାତାଳ ଅନ୍ତର ଆସିଯାଇଛି। କରୋନା ଯୋଗୁ କାମଧନ୍ଦା ବନ୍ଦ ପଡିଥିବା ବେଳେ ଲୋକଙ୍କ ଆୟ ହ୍ରାସ ହୋଇଛି। ନଗଦ ଅଭାବ କାଳରେ ଅତ୍ୟାଧିକ ମୂଲ୍ୟ ବୃଦ୍ଧି ଯୋଗୁ  ଲୋକେ ଗୁରୁତର ସମସ୍ୟାରେ ପଡିଛନ୍ତି।  ଗତବର୍ଷ ଏପ୍ରିଲ ମେ ମାସରେ ଲୋକଙ୍କ ଘର ଖର୍ଚ୍ଚ ଯାହାଥିଲା ତାହା ଚଳିତ ବର୍ଷ ଏହି ସମୟ ବେଳକୁ ଦୁଇଗୁଣିତ ହୋଇଯିବା ବଜାର ଉପରୁ ସରକାର ନିୟନ୍ତ୍ରଣ ହରାଇଥିବା ପ୍ରମାଣିତ କରୁଛି। ହେଲେ କରୋନାରେ ଲକଡାଉନ ଓ କଟକଣା ଯୋଗୁ ଲୋକଙ୍କ ସମସ୍ୟା ସେହି ଭିତରେ ସୀମିତ ରହିଯାଇଛି।

ଏବେ ଏପରି ପରିସ୍ଥିତି ହୋଇଛି ଯେ ଲୋକଙ୍କ ପୂର୍ବ ସଞ୍ଚୟ ମଧ୍ୟ ମହଙ୍ଗାରେ ସମାପ୍ତ ହେବାରେ ଲାଗିଲାଣି। ଲୋକଙ୍କ ଆୟ ହୁଏତ ହ୍ରାସ ହୋଇଛି ଅଥବା ସମତୁଲ ରହିଛି ହେଲେ ବୃଦ୍ଧି ହୋଇନଥିବା ବେଳେ ବଜାର ଦର ବୃଦ୍ଧି ସଞ୍ଚୟକୁ ପ୍ରଭାବିତ କରୁଛି। ଏଣୁ ଲୋକେ ଏବେ ଭିଡାଭିଡିରେ ଘର ଚଳାଇବାକୁ ବାଧ୍ୟ ହେଉଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.