ଏବେ ପାଗ ଅନୁକୁଳ, ୯ ସୁଦ୍ଧା ଓଡିଶା ଛୁଇଁପାରେ ମୌସୁମୀ

Published By : Prameya-News7 Bureau | June 06, 2024 IST

ଭୁବନେଶ୍ୱର ୦୬।୦୬ :  ଆସନ୍ତା ୩ରୁ ୪ ଦିନ ଭିତରେ ରାଜ୍ୟରେ ମୌସୁମୀ ବର୍ଷା ହେବ। ୯ ତାରିଖ ସୁଦ୍ଧା ମୌସୁମୀ ଦକ୍ଷିଣ ଓଡ଼ିଶା ଛୁଇଁବ। ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି । 

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ  ଡ. ଶରତ ସାହୁ କହିଛନ୍ତି, ଓଡ଼ିଶାକୁ ମୌସୁମୀ ଆସିବା ପାଇଁ ପାଗ ଅନୁକୂଳ ଅଛି । ୯ ବା ୧୦ ତାରିଖରେ ମୌସୁମୀ ବର୍ଷା ହେବ । ଉତ୍ତର ଓଡ଼ିଶାରେ ସାମାନ୍ୟ ତାତି ରହିବ। ୧୨ ଓ ୧୩ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାରେ ତାତି ପୁଣି ବଢ଼ିବ । କିଛି ସ୍ଥାନରେ ୪୫ ଡିଗ୍ରୀ ଟପିପାରେ। ଆସନ୍ତା ୩ରୁ ୪ ଦିନ ଭିତରେ ମୌସୁମୀ ଓଡ଼ିଶା ଆସିବା  ପାଇଁ ପାଗ ଅନୁକୂଳ ଅଛି ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା   ଡ. ମନୋରମା ମହାନ୍ତି କହିଛନ୍ତି । ତେବେ ୨ ଦିନ ପରେ  ପଶ୍ଚିମ ଓଡ଼ିଶାରେ ତାତି ବଢ଼ିବ । ତାପମାତ୍ରା ୪୨ ଡିଗ୍ରୀ ଉପରେ  ରହିବ । ଗୁଳୁଗୁଳି ଅଧିକ ରହିବା ଯୋଗୁ ତାପମାତ୍ରା ଅଧିକ  ଅନୁଭୂତ ହେବ । ଉପକୂଳରେ ବି ପ୍ରବଳ ଗୁଳୁଗୁଳି ହେବ । 

ପାଣିପାଗ ବିଭାଗର ଆକଳନ ଅନୁସାରେ, ୭, ୮ ଓ  ୯ ତାରିଖରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ୭ ଓ ୮ରେ  ବଲାଙ୍ଗୀର ଓ ନୂଆପଡ଼ାରେ ଗ୍ରୀଷ୍ମପ୍ରବାହ ବହିବ । ତେବେ  ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳ ଓଡ଼ିଶାରେ କିଛି ସ୍ଥାନରେ  ବର୍ଷା ସମ୍ଭାବନା ଅଛି । ୯ରେ ବଲାଙ୍ଗୀର, ନୂଆପଡ଼ା, ବରଗଡ଼  ଓ ଝାରସୁଗୁଡ଼ାରେ ଗ୍ରୀଷ୍ମପ୍ରବାହ ବହିପାରେ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଏହି ଦୁଇ  ଦିନ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ତାତି ଓ ଗୁଳୁଗୁଳି ଅନୁଭୂତ ହେବ । 

ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଅନୁସାରେ, ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା  ୩୬କୁ ବଢ଼ିଛି । ଆଜିସୁଦ୍ଧା ମୋଟ ୧୫୧ ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିଛି । ୩୧ଜଣଙ୍କର  ଅଂଶୁଘାତରେ ମୃତ୍ୟୁ ହୋଇନି । ବାକି ୮୪ଟି ମୃତ୍ୟୁ ମାମଲାର ତଦନ୍ତ ଚାଲିଛି । ଗତ ଦୁଇ  ଦିନରେ ଆଉ ୨ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ୧୦ ଓ  ୧୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ବିଭାଗ ଆକଳନ   କରିଛି । ଆଜି ବୌଦ୍ଧରେ ତାତି ୪୨.୫ଡିଗ୍ରୀ ରେକର୍ଡ ହୋଇଛି । ବଲାଙ୍ଗୀରରେ ୪୧.୪,   ଟିଟିଲାଗଡ଼ରେ ୪୦.୮ ଓ ନୂଆପଡ଼ାରେ ୪୦.୪ଡିଗ୍ରୀ ରେକର୍ଡ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.