ଭୁବନେଶ୍ୱର,୨୨/୦୬: ମାଲକାନଗିରିରୁ ସାରା ଓଡ଼ିଶାକୁ ଛୁଇଁଛି ମୌସୁମୀ ବାୟୁ । ପାଗ ଅନୁକୂଳ ରହିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୁଣି ସକ୍ରିୟ ହେବା ସହ ୩୦ ଜିଲ୍ଲାରେ ପ୍ରବେଶ କରିଛି । ୨୪ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଥିବାବେଳେ ୬ ଜିଲ୍ଲାକୁ ଆଂଶିକ ପ୍ରବେଶ କରିଛି । ତେଣୁ ଗତ ୨୪ ଘଣ୍ଟାରେ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।
୨୪ ଜିଲ୍ଲାକୁ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ଛୁଇଁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ହେଲେ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ବାଲେଶ୍ୱର ଓ ସମ୍ବଲପୁର ଜିଲ୍ଲାର କିଛି ଅଞ୍ଚଳକୁ ମୌସୁମୀ ସ୍ପର୍ଶ କରିଛି । ବାକି ଥିବା ଅଂଶକୁ ୨୪ ତାରିଖ ସୁଦ୍ଧା ପହଞ୍ଚିପାରେ ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ।
ଡ. ସାହୁଙ୍କ କହିବାନୁସାରେ ଆସନ୍ତା ୨୬ ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଆସନ୍ତା ୨୭ କିମ୍ବା ୨୮ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହୋଇପାରେ । ଏହା ପ୍ରଭାବରେ ୨୭ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ୨୮ରୁ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିପାରେ । କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।
ମୌସୁମୀ ପ୍ରଭାବରେ ଶୁକ୍ରବାର ରାଜ୍ୟର ଅଧିକାଂଶ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇଛି । ଖୋର୍ଦ୍ଧାରେ ସର୍ବାଧିକ ୬୫ ମିଲିମିଟର ବର୍ଷା ହୋଇଛି । ରାଉରକେଲାରେ ୫୬ ମିମି, ଦାରିଙ୍ଗିବାଡ଼ିରେ ୩୮, ତାଳଚେରରେ ୩୫, ସୋନପୁରରେ ୨୪.୮, ବୌଦ୍ଧରେ ୨୩, ପାରାଦୀପରେ ୧୮, ଟିଟିଲାଗଡ଼ରେ ୧୬.୨, ଢେଙ୍କାନାଳରେ ୧୫.୨, ଫୁଲବାଣୀରେ ୫.୮, ଭୁବନେଶ୍ୱରରେ ୬.୩, ଗୋପାଳପୁରରେ ୩ ମିମି ବର୍ଷା ହୋଇଛି ସନ୍ଧ୍ୟା ସୁଦ୍ଧା ।
ଗତ ୨୪ ଘଣ୍ଟାରେ ତାଳଚେରରେ ସର୍ବାଧିକ ୧୦୮ ମିମି ବର୍ଷା ହୋଇଥିବାବେଳେ ବରଗଡ଼ରେ ୪୮.୮, ଫୁଲବାଣୀରେ ୪୨.୪ ମିମି ବର୍ଷା ରେକର୍ଡ ହୋଇଛି ।
ଶନିବାର ମୌସୁମୀ ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ବର୍ଷା ସମ୍ଭାବନା ଅଛି । କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ । ୨୩ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହୋଇପାରେ । ମୌସୁମୀ ପ୍ରଭାବରେ ଆସନ୍ତା ୫ଦିନ ଯାଏ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି କହିଛନ୍ତି ।
ଜୁନ୍ ପହିଲାରୁ ଏବେ ସୁଦ୍ଧା ରାଜ୍ୟରେ ଯେତିକି ପରିମାଣର ବର୍ଷା ହେବା କଥା, ତା’ଠାରୁ ୪୫% ନିଅଣ୍ଟିଆ ସ୍ଥିତି ରହିଛି । ରାଜ୍ୟରେ ଏଯାଏଁ ୭୦ ମିଲିମିଟରରୁ କମ୍ ବର୍ଷା ହୋଇଛି ଚଳିତ ଜୁନ୍ ମାସରେ । ୨୪ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି । ୮ ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ନିଅଣ୍ଟିଆ ସ୍ଥିତି ରହିଛି । ଏହାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି । ଅନେକ ସ୍ଥାନରେ ଧାନ ବୁଣା ସରିଛି । ହେଲେ ଭଲ ବର୍ଷା ନହେଲେ ଧାନ ଗଜା ହେବନି । ଲଗାତର ଗୋଟିଏରୁ ଦୁଇ ସପ୍ତାହ ବର୍ଷା ହେଲେ ଯାଇ ଧାନ ତଳି ପକାଇବା ଓ ରୋଇବା କାମ ଆରମ୍ଭ ହେବ ବୋଲି ଓୟୁଏଟିର କୃଷି ବିଜ୍ଞାନୀ କହିଛନ୍ତି । ଆଜିର ବର୍ଷା ପରେ ସ୍ଥିତିରେ ସୁଧାର ଆସିବା ଆଶା ଦେଖା ଦେଇଛି ।