ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ
3/09/2018 at 10:40 AM

ଭୁବନେଶ୍ବର ୩|୯: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ଅଧିବେଶନ ପୂର୍ବରୁ ସରକାରଙ୍କୁ ଘେରିବା ପାଇଁ ବିରୋଧୀମାନେ ପ୍ରସ୍ତୁତ । ଚାଷୀଙ୍କୁ ଫସଲ ବୀମା, ଶିକ୍ଷକ, ଲୋକାୟୁକ୍ତ ନିଯୁକ୍ତି, ବେରୋଜଗାରୀ , ଉପାନ୍ତ ଅଞ୍ଚଳରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଭଳି ପ୍ରସଙ୍ଗରେ ବିରୋଧୀମାନେ ଗୃହରେ ଉଠାଇପାରନ୍ତି । ଶାସକ ଦଳ ମଧ୍ୟ ବନ୍ୟା ପାଇଁ ଛତିଶଗଡ଼ର ବିଜେପି ସରକାର ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିବ। ଆଉ ତୈଳ ଦର ବୃଦ୍ଧି ଓ କେନ୍ଦ୍ରର ଅବହେଳାକୁ ଅସ୍ତ୍ର କରିବାକୁ ଦଳ ପୂରା ଦମରେ ପ୍ରସ୍ତୁତ । ଏହି ବିଧାନସଭାର ମୌସୁମୀ ଅଧିବେଶନରେ ମାତ୍ର ୧୧ଟି କାର୍ଯ୍ୟଦିବସ ଥିଲେ ବି ଅନେକ ଦୃଷ୍ଟିରୁ ଏହାର ଗୁରୁତ୍ବ ରହିଛି। ତିନି ରାଜନୈତିକ ଦଳ ଆଜି ବିଧାୟକ ଦଳ ବୈଠକ ଡାକିଛନ୍ତି। ସାଧାରଣତଃ ଶୀତ ଅଧିବେଶନ ସମୟରେ ଅତିରିକ୍ତ ବଜେଟ୍ ଆସୁଥିଲା ବେଳେ ଏଥର ମୌସୁମୀ ଅଧିବେଶନରେ ଅତିରିକ୍ତ ବଜେଟ୍ ଆସୁଛି। ଅତିରିକ୍ତ ବଜେଟ୍ ଆକାର ପାଖାପାଖି ୧୨ହଜାର ୭୬୮ କୋଟି ଟଙ୍କା। ଆଗକୁ ନିର୍ବାଚନ ଥିବାରୁ ଅତିରିକ୍ତ ବଜେଟ୍ କେଉଁ ବିଭାଗ ପାଇଁ କେତେ ଅଧିକ ଅର୍ଥ ବରାଦ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିବ। ସେପ୍ଟେମ୍ବର ୨୦ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୧୧ଟି କାର୍ଯ୍ୟଦିବସ ରହିଛି ।