ମୌସୁମୀ ସକ୍ରିୟ, ୯ ଜିଲ୍ଲାରେ ପ୍ରବଳ ବର୍ଷା

Published By : Prameya-News7 Bureau | August 27, 2021 IST

ଭୁବନେଶ୍ୱର,୨୭/୦୮: ମୌସୁମୀ ଟ୍ରଫ୍‌ ପ୍ରଭାବରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ସ୍ୱଳ୍ପ ବର୍ଷା ହେଉଛି । ଅନୁମାନ କରାଯାଉଛି, ଶୁକ୍ରବାର ରାଜ୍ୟର ଉପକୂଳ ଓଡ଼ିଶାରେ ଅଧିକାଂଶ ଜାଗାରେ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି କିଛି ଜାଗାରେ ବର୍ଷା ହେବ । ଶୁକ୍ରବାର ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

ପାଣିପାଗ ବିଭାଗ କହିଛି, ଶୁକ୍ରବାର କନ୍ଧମାଳ, ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, ବୌଦ୍ଧ, ପୁରୀ, ଅନୁଗୁଳ, ବଲାଙ୍ଗିର ଓ କଟକରେ ପ୍ରବଳ ବର୍ଷା ହୋଇପାରେ। ଏହାବାଦ୍‌ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା,ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଢେଙ୍କାନାଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୨୮ ତାରିଖରେ ମଧ୍ୟ କେତେକ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ଶୁକ୍ରବାର ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଯୋଗୁ ମୌସୁମୀ ପୁଣି ସକ୍ରିୟ ହେବ । ଫଳରେ ରାଜ୍ୟ ସାରା ଆସନ୍ତା ୩୧ ପର୍ଯ୍ୟନ୍ତ ବର୍ଷା ହେବ । ୨୭ ତାରିଖରେ ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀର କେତେକ ସ୍ଥାନରେ ଭାରି ବର୍ଷା (୬୦ ମିମିରୁ ଅଧିକ) ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାରେ ଅଗଷ୍ଟ ୩୦ ଓ ପଶ୍ଚିମ ଓଡ଼ିଶାରେ ଅଗଷ୍ଟ ୩୦ ଓ ୩୧ରେ ପ୍ରାୟତଃ ଭାରି ବର୍ଷା (୩୫ ମିମିରୁ ୬୦ ମିମି) ବର୍ଷା ହୋଇପାରେ ।

ପୂର୍ବ ଆକଳନ ମୁତାବକ, ଅଗଷ୍ଟ ୩୧ ସୁଦ୍ଧା ରାଜ୍ୟରେ ହାରାହାରି ୯୦ ମିମି ବର୍ଷା ହୋଇପାରେ । ଦୀର୍ଘ ଅବଧି ପାଣିପାଗ ପୂର୍ବାନୁମାନ ଅନୁସାରେ ଆସନ୍ତା ସେପ୍ଟେମ୍ବର ମାସରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ ବୋଲି ଡକ୍ଟର ପଶୁପାଳକ କହିଛନ୍ତି । ସକାଳରୁ ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱର, ତାଳଚେର, ଭବାନୀପାଟଣା, ନୟାଗଡ଼, ବାଲେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.