ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରି ସାରିଛି, ତଥାପି ତାତିରୁ ମିଳୁନି ନିସ୍ତାର

Published By : Prameya-News7 Bureau | June 10, 2024 IST

ଭୁବନେଶ୍ଵର:  ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିଥିଲେ ବି ତାତିରୁ ମିଳୁନି ନିସ୍ତାର । କାରଣ ମୌସୁମୀ ଆଗକୁ ବଢ଼ିବା ନେଇ ସ୍ଥିତି ଅନୁକୂଳ ନାହିଁ। ଆଗାମୀ ୩,୪ ଦିନ ପର୍ଯ୍ୟନ୍ତ ଅଗ୍ରସର ନ ହୋଇପାରେ ମୌସୁମୀ ବାୟୁ। ମୌସୁମୀ ସକ୍ରିୟ ହୋଇପାରୁନଥିବାରୁ ଆଗାମୀ ୫ ଦିନ ଉତ୍ତର ,ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ । ଏହାକୁ ଦୃଷ୍ଟିରେ ରଖି ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି।

ଜଳୁଛି ଓଡ଼ିଶା। ପଶ୍ଚିମରୁ-ଉପକୂଳ, ଦକ୍ଷିଣରୁ ଆଭ୍ୟନ୍ତରୀଣ ସବୁଠି ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି। ଜନଜୀବନ ଅସ୍ତବ୍ୟସ୍ତ । ଓଡ଼ିଶାକୁ ମୌସୁମୀ ପ୍ରବେଶ କରିସାରିଥିବା ନେଇ ପାଣିପାଗ ବିଭାଗ କହିସାରିଥିଲେ ବି ତାତି କିନ୍ତୁ କମିବାର ନାଁ ଧରୁନି । ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ରାଜ୍ୟରେ ଉଷ୍ମ ଓ ଆଦ୍ର ସ୍ଥିତି ଲାଗିରହିବାର ସମ୍ଭାବନା ରହିଛି । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । 

Also read: ଓଡ଼ିଶାର ୩ ମନ୍ତ୍ରୀଙ୍କୁ ବଡ଼ ବିଭାଗ: ମିଳିଲା ରେଳ, ଶିକ୍ଷା ଓ ଆଦିବାସୀ

ବାଲେଶ୍ବର, ଜଗତସିଂହପୁର, ନୟାଗଡ ,ଖୋର୍ଦ୍ଧା , ନୂଆପଡା ,ବଲାଙ୍ଗୀର, ଗଜପତି, ଗଞ୍ଜାମ, ବୌଦ୍ଧ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ. ପୁରୀ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା  ହେବାର  ସମ୍ଭାବନା ରହିଛି । ଏହି ସମୟରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ୧୪  ତାରିଖ ଯାଏଁ ତାତି ଓ ଗୁଳୁଗୁଳିରୁ ନିସ୍ତାର ମିଳିବ ନାହିଁ । ଏହା ପରେ ବର୍ଷାର ପରିମାଣ ବଢିବ ବୋଲି ଆକଳନ  କରିଛି ପାଣିପାଗ ବିଭାଗ। 

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁଥିଲେ ହେ ଆଗକୁ ଅଗ୍ରସର ହେବା ଭଳି ଅନୁକୂଳ  ସ୍ଥିତି ନାହିଁ । ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ବାୟୁ  ଛୁଇଁଥିବା ବେଳେ ଅନୁକୂଳ ସ୍ଥିତି ନଥିବାରୁ ତାହା ବର୍ତ୍ତମାନ ସ୍ଥିର ହୋଇରହିଛି ।  ଅସହ୍ୟ  ଗୁଳୁଗୁଳି ଓ ଖରାଠୁ ନିଜକୁ ଦୁରେଇ ରଖିବା ସହ ଆବଶ୍ୟକ  ନଥିଲେ  କାମରୁ  ବିରତ  ରହିବାକୁ  ପରାମର୍ଶ   ଦେଇଛି  ପାଣିପାଗ ବିଭାଗ । ସେପଟେ ହିଟୱେଭ ନେଇ ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ସେହି ଜିଲ୍ଲାଗଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ ଓ ନୂଆପଡ଼ା। ଖରାର ମୁକାବିଲା ନେଇ ପଦକ୍ଷେପ ନେବାକୁ ଚିଠିରେ ନିର୍ଦ୍ଦେଶ ରହିଛି । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ ଘରୁ ନବାହାରିକୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ୪୧ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ୭୩ ଜଣଙ୍କ ମୃତ୍ୟୁକୁ ନେଇ ତଦନ୍ତ ଚାଲିଛି। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.