ସେପ୍ଟେମ୍ବରରେ ପୁଣି ସକ୍ରିୟ ହୋଇପାରେ ମୌସୁମୀ, ଜାଣନ୍ତୁ ବର୍ଷାକୁ ନେଇ IMDଙ୍କ ଅପଡେଟ୍

Published By : Prameya-News7 Bureau | August 31, 2023 IST

ନୂଆଦିଲ୍ଲୀ ୩୧। ୮: ଗତ କିଛି ଦିନ ହେଲା ବର୍ଷା ଛାଡି ଯାଇଛି। ଫଳରେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ୟୁପି ଓ ଅନ୍ୟ ରାଜ୍ୟମାନଙ୍କରେ ପୁଣି ଗରମ ପଡିବା ଆରମ୍ଭ ହୋଇଯାଇଛି। ଏଥିରେ ବର୍ଷାକୁ ନେଇ ପାଣିପାଗ ବିଭାଗ ବଡ଼ ଅପଡେଟ୍  ଜାରି କରିଛନ୍ତି। କାର୍ଯ୍ୟାଳୟ ଗୁରୁବାର କହିଛନ୍ତି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ସେପ୍ଟେମ୍ବରରେ ପୁଣି ସକ୍ରିୟ ହୋଇପାରେ। ଫଳରେ ଦେଶର ମଧ୍ୟ ଓ ଦକ୍ଷିଣାଞ୍ଚଳରେ ବର୍ଷାର ପରିମାଣ ବଢିପାରେ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ସେପ୍ଟେମ୍ବରରେ ୧୬୭.୯ ମିଲିମିଟର ଦୀର୍ଘ ଅବଧି ହାରରେ ୯୧-୧୦୯ ପ୍ରତିଶତ ମଧ୍ୟରେ ସ୍ୱଭାବିକ ବର୍ଷା ହୋଇପାରେ। ମହାପାତ୍ର କହିଛନ୍ତି ଯେ ସେପ୍ଟେମ୍ବରରେ ବର୍ଷା ଅଧିକ ପରିମାଣରେ ହେଲେ ମଧ୍ୟ ଜୁନ-ସେପ୍ଟେମ୍ବର ମୌସୁମୀ ବର୍ଷାର ହାରାହାରି ସ୍ୱଭାବିକରୁ କମ୍‌ ରହିପାରେ। ସେ କହିଛନ୍ତି ଯେ ଅଗଷ୍ଚରେ ସ୍ୱଳ୍ପ ବୃଷ୍ଟି ଗତିବିଧି ପଛରେ ଭୂମଧ୍ୟ ରେଖିୟ ପ୍ରଶାନ୍ତ ମହାସାଗରରେ ଅଲନିନୋ ପରିସ୍ଥିତିର ବିକାଶ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରଣ ଥିଲା।

{"id":838593,"width":839,"height":471,"sizeSlug":"full","linkDestination":"none"}

ତେବେ ହୀନ୍ଦ ମହାସାଗର ଡିପୋଲରେ ଆରବ ସାଗର ଓ ବଙ୍ଗୋପସାଗର ସମୁଦ୍ର ପୃଷ୍ଠର ତାପମାତ୍ରାରେ ସକରାତ୍ମକ ଅନ୍ତର ଆସିବା ଆରମ୍ଭ ହୋଇଗଲାଣି। ଯାହା ଏବେ ଅଲନିନୋ ପ୍ରଭାବର ମୁକାବିଲା କରିପାରିବ। ସେ କହିଛନ୍ତି ଯେ ମୈଡେନ ଜୁଲିୟନ ଓସିଲେସନ ବାଦଲ ଗୁଡିକ ପୂର୍ବ ଦିଗକୁ ଗତି କରିବା ଆରମ୍ଭ କରିଛନ୍ତି। ଏହା ସହ ଉଷ୍ଣ କଟିବନ୍ଧିୟ କ୍ଷେତ୍ରରେ ମଧ୍ୟ ବର୍ଷା ହେଉଛି। ଯାହା ମୌସୁମୀର ପୁନରୁଦ୍ଧାରରେ ସହାୟକ ହେବ ।

ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ ଭାରତରେ ୧୯୦୧ ମସିହା ପରେ ଚଳିତବର୍ଷ ଅଗଷ୍ଟ ମାସ ସବୁଠୁ ଅଧିକ ଶୁଷ୍କ ଥିଲା। ଏହା ସ୍ପଷ୍ଟ ରୂପେ ଅଲନିନୋ ସ୍ଥିତି ଯୋଗୁ ଉପୁଜିଛି ବୋଲି ପାଣିପାଗ ବିଷାରଦ କହିଛନ୍ତି। ତେବେ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଚଳିତବର୍ଷ ମୌସୁମୀ ୨୦୧୫ ପରେ ଅଧିକ ଶୁଷ୍କ ହୋଇପାରେ। ଯେଉଁଥିରେ ୧୩ ପ୍ରତିଶତ କମ୍ ବର୍ଷାର ଆକଳନ କରାଯାଉଛି। ଚଳିତବର୍ଷ ମୌସୁମୀରେ ହୋଇଥିବା ବର୍ଷା ଅନେକ ରାଜ୍ୟରେ ନିଅଣ୍ଟିଆ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.