କେରଳରେ ଆରମ୍ଭ ହୋଇଗଲାଣି ମୋସୁମୀ ବର୍ଷା
29/05/2018 at 11:24 AM

ତିନି ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । ଏବଂ ଦେଶରେ ଆରମ୍ଭ ହୋଇଯାଇଛି ଚାରି ମାସିଆ ବର୍ଷା ଋତୁ । ଦେଶର କୃଷି ଓ କୃଷକଙ୍କ ଜୀବନ ଭାବେ ପରିଚିତ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳରେ ପ୍ରବେଶ କରିଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ, ଆଇଏମଡି । ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମି କେରଳରେ ପହଞ୍ଚୁଥିବା ବେଳେ ଏଥର ଟିକେ ସଅଳ ଆସିଛି । ପ୍ରାୟ ଦେଢ ମାସରେ ସାରା ଦେଶର ବିଭିନ୍ନ ଅଞ୍ଚଳ ଛୁଉଁଥିବା ଏହି ମୌସୁମୀର ସ୍ଥିତିରୁ ଦେଶରେ ଏଥର ସାଧାରଣ ବା ଯଥେଷ୍ଟ ପରିମାଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ମୌସୁମୀର ସଅଳ ପ୍ରବେଶ ଚାଷୀଙ୍କୁ ଉତ୍ସାହିତ କରିଛି । ଯଦି ସ୍ଥିତି ସ୍ବାଭାବିକ ରୁହେ ତେବେ ଜୁନ୍ ୧୦ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁବ । ଦୁଇ ତାରିଖ ସୁଦ୍ଧା ପ୍ରାକ୍ ମୌସୁମି ବର୍ଷା ବି ହୋଇପାରେ ।
ମୋସୁମୀର ସଅଳ ଆଗମନ ଖୁସି ଆଣିଥିବା ବେଳେ, ପ୍ରକୃତିର ଆଉ ଏକ ରୂପ କିନ୍ତୁ ଭୟଙ୍କର । ଝାଡଖଣ୍ଡ, ବିହାର ଏବଂ ଉତ୍ତର ପ୍ରଦେଶରେ କାଳବୈଶାଖୀର ପ୍ରଭାବ ଭୟଙ୍କର ହୋଇଛି । କାଳବୈଶାଖୀ ଜନୀତ ଝଡ ତୋଫାନଓ ବଜ୍ରପାତରେ ତିନି ରାଜ୍ୟରେ ଅତିକମ୍ ରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି ।ଝାଡଖଣ୍ଡରେ ସୋମବାର ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ରୁ ଅଧିକ ଆହତ ହୋଇଛନ୍ତି । ସୋମବାର ରାତିରେ ଉନାଓ ଜିଲ୍ଲାରେ ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଉତ୍ତରପ୍ରଦେଶରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ବିହାରରେ ଝଡ ତୋଫାନ ଏବଂ ବଜ୍ରପାତ ୧୭ ଜଣଙ୍କ ଜୀବନ ନେଇଛି । ଏହାସହ ଏହି ତିନି ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ପବନ ସହ ବଜ୍ରପାତ ନେଇ ସତର୍କତା ବି ଜାରି କରାଯାଇଛି ।