ମଙ୍କିପକ୍ସକୁ ନେଇ ବିଶେଷଜ୍ଞଙ୍କ ବଡ଼ ଦାବି, ପବନରେ ବ୍ୟାପୁଛି ଭାଇରସ !

Published By : Prameya-News7 Bureau | June 11, 2022 IST

ନୂଆଦିଲ୍ଲୀ: କରୋନାର ବଢୁଥିବା ମାମଲା ଭିତରେ ମଙ୍କିପକ୍ସ ସଂକ୍ରମଣ ସାରା ଦୁନିଆ ପାଇଁ ନୂଆ ଚିନ୍ତାର କାରଣ ପାଲଟିଛି । ଦୁନିଆର ପ୍ରାୟ ୨୯ ଦେଶରେ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ ମଙ୍କିପକ୍ସର ୧୦୦୦ରୁ ଅଧିକ ମାମଲା ଚିହ୍ନଟ ହୋଇସାରିଛି। ଏହାରି ଭିତରେ ମଙ୍କିପକ୍ସ ଭାଇରସକୁ ନେଇ ଆଶ୍ଚର୍ଯ୍ୟଜନକ ଖବର ସାମନାକୁ ଆସିଛି।

ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେସନ(ସିଡିସି)ର ବିଶେଷଜ୍ଞ କହିଛନ୍ତି, ମଙ୍କିପକ୍ସ ଭାଇରସ ପବନରେ ମଧ୍ୟ ବ୍ୟାପିପାରେ । ବିଶେଷଜ୍ଞଙ୍କ କହିବା କଥା, ଯଦି ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଅନ୍ୟ କୌଣସି ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ରୁହନ୍ତି ତେବେ ଏହି ଭାଇରସ ପବନରେ ବ୍ୟାପିପାରେ । ତେବେ ବିଶେଷଜ୍ଞଙ୍କ ଅନୁସାରେ, ମଙ୍କିପକ୍ସ ଭାଇରସ ପବନରେ ବେଶି ଦୂର ଯାଏଁ ବ୍ୟାପିପାରେ ନାହିଁ। ଏଥିପାଇଁ ଲୋକଙ୍କୁ ମାସ୍କ ଲଗାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।  

ଡେଲି ମେଲର ରିପୋର୍ଟ ଅନୁସାରେ ଶୁକ୍ରବାର ଏକ ମିଡିଆ ବ୍ରିଫିଂ ସମୟରେ ସିଡିସି ମୁଖ୍ୟ ରୋଶେଲ ବାଲେକ୍ସି କହିଛନ୍ତି, ଅନେକ ସ୍ଥାନରେ ରୋଗୀଙ୍କ ସହ ଶାରୀରିକ ସଂସ୍ପର୍ଶ ଏବଂ ତାଙ୍କ ପୋଷାକକୁ ଛୁଇଁବା ଦ୍ୱାରା ମଙ୍କିପକ୍ସ ବ୍ୟାପିଥାଏ । ଏହି କାରଣରୁ ମଙ୍କିପକ୍ସରେ ସଂକ୍ରମିତ ବ୍ୟକ୍ତିଙ୍କ ନିକଟକୁ ନଯିବା ପାଇଁ ସିଡିସି ପକ୍ଷରୁ ପରାମର୍ଶ ଜାରି କରାଯାଇଛି।

ସିଡିସି ନିଜ ବୟାନରେ ସ୍ପଷ୍ଟ କରି କହିଛି, କରୋନା ଭାଇରସ ପରି ମଙ୍କିପକ୍ସର ଭୂତାଣୁ ମଧ୍ୟ ପବନରେ ବେଶି ସମୟ ଜୀବିତ ରହିପାରେ ନାହିଁ । ବିଶେଷଜ୍ଞଙ୍କ ଅନୁସାରେ ମଙ୍କିପକ୍ସର ଯେଉଁମାନେ ଆକ୍ରାନ୍ତ ହୋଇଛନ୍ତି ସେହି ସମସ୍ତେ ସଂକ୍ରମିତ ବ୍ୟକ୍ତିଙ୍କ ସହ ସିଧା ସଂସ୍ପର୍ଶରେ ଆସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.