କଟକ ୧୩/୦୮: ରାଜ୍ୟ କଂଗ୍ରେସରେ ବଢି ଚାଲିଛି ଅସନ୍ତୋଷ । ଦଳୀୟ କନ୍ଦଳକୁ ନେଇ ଦୀର୍ଘଦିନ ଧରି ଲାଗିରହିଛି ବିବାଦ । ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ମହମ୍ମଦ ମୋକିମ । ଗତକାଲି କଟକ ନଗର ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଗିରିବାଳା ବେହେରାଙ୍କୁ ହଟାଇ ସୁରେଶ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଦାୟିତ୍ୱ ମିଳିବା ପରେ ଆଜି ସୁରେଶ ମହାପାତ୍ର କଟକ ଜିଲ୍ଲାର ସମସ୍ତ ଦଳୀୟ କିମିଟି ଭାଙ୍ଗିଛନ୍ତି ।
ଦଳର ଜିଲ୍ଲା କମିଟି, ବ୍ଲକ କମିିଟି ଓ ୱାର୍ଡ କମିଟି ଭାଙ୍ଗିଛନ୍ତି । ତେବେ ଦଳକୁ ଦୁର୍ବଳ ନୁହେଁ ସୁଦୃଢ କରିବା ପାଇଁ ଏହା ଏକ ପଦକ୍ଷେପ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ତେବେ ଏ ପ୍ରସଙ୍ଗରେ ମୋକିମ ପ୍ରତିକ୍ରିୟା ରଖିଛନ୍ତି । ନିଷ୍ପତ୍ତି ନେବାର କ୍ଷମତା ପିସିସିର ଅଛି । ଗିରିବାଳାଙ୍କ ମନ୍ତବ୍ୟ ସମ୍ପୂର୍ଣ ବ୍ୟକ୍ତିଗତ ।
ପିସିସି ନିଷ୍ପତ୍ତି ଉପରେ ମୋର କିଛି କହିବାର ନାହିଁ ବୋଲି କହିଛନ୍ତି ମୋକିମ । ସୁରେଶ ମହାପାତ୍ର ଜଣେ ପୁରୁଖା ନେତା । ସେ ରହିଲେ ସଂଗଠନ ମଜଭୁତ ହେବ ବୋଲି କହିଛନ୍ତି । ଦଳ ଛାଡିଥିବା ଲୋକଙ୍କ ଭିତରେ ଅସନ୍ତୋଷ ରହିଥାଇପାରେ । ମୁଁ ଦଳ ସହ ଅଛି , ରାଜନୈତିକ ଚର୍ଚ୍ଚା ଉପରେ ମୋର କିଛି କହିବାର ନାହିଁ ।
ଆହୁରି ମଧ୍ୟରାଷ୍ଟ୍ରପତି ନିର୍ବାଚନକୁ ନେଇ ମୋକିମ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସୋ କଜ୍ ନୋଟିସର ଉତ୍ତର ଦେଇଛି । ହେଲେ ଏଯାଏଁ ଜବାବ୍ ପାଇନି । ପିସିସି ମୁଖିଆଙ୍କ ପଦକ୍ଷେପ ସମ୍ପର୍କରେ ମୋକିମ କହିଛନ୍ତି ସମୟ କହିବ, ପଦକ୍ଷେପ ଠିକ୍ ନା ଭୁଲ ।