ଟଳିଲା ମାଲେସିଆ ସଂକଟ, ମୋହିଉଦ୍ଦିନ ୟାଶୀନ ହେଲେ ଦେଶର ନୂଆ ପ୍ରଧାନମନ୍ତ୍ରୀ
1/03/2020 at 5:26 PM

କୁଆଲଲମ୍ପୁର ୧।୩: ମାଲେସିଆ କ୍ଷମତାସୀନ ‘ପ୍ୟାକେଟ୍ ଅଫ ହୋପ୍’ ମେଣ୍ଟ ଭାଙ୍ଗିବା ଓ ମହାତିର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ଯୋଗୁ ଉପୁଜିଥିବା ରାଜନୈତିକ ସଂକଟ ଟଳିଛି। ଦେଶର ପୂର୍ବତନ ଗୃହମନ୍ତ୍ରୀ ମୋହିଉଦ୍ଦିନ ୟାଶୀନ ରବିବାର ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ଗତ ସୁକ୍ରବାର ମୋହିଉଦ୍ଦିନଙ୍କୁ ଦେଶର ଆଗାମୀ ରାଷ୍ଟ୍ରମୁଖ୍ୟ ମନୋନୟନ କରାଯାଇଥିଲା। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦ ଏହାକୁ ନାପସନ୍ଦ କରିଥିଲେ।

ସପ୍ତାହକ ପୂର୍ବେ ମହାତିର ମହମ୍ମଦ ଓ ଅନବର ଇବ୍ରାହୀମଙ୍କ ପ୍ୟାକେଟ୍ ଅଫ ହୋପ୍ ମେଣ୍ଟ ଭାଙ୍ଗି ଯାଇଥିଲା। ୨ ବର୍ଷ ପୂର୍ବେ ଏହି ମେଣ୍ଟ ନଜୀବ ରଜାକଙ୍କ ପାର୍ଟି ବିପକ୍ଷରେ ବଡ ଜିତ ହାସଲ କରିଥିଲା। ହେଲେ ଦୁର୍ନୀତି ଅଭିଯୋଗ ଯୋଗୁ ମେଣ୍ଟରେ ଫାଟ ଉପୁଜିଥିବା ବେଳେ ଗତ ସପ୍ତାହରେ ଭାଙ୍ଗିଯାଇଥିଲା। ତେବେ ଅନିୟମିତତାରେ ଘେରି ରହିଥିବା ପାର୍ଟି ପୁଣି କ୍ଷମତାକୁ ଫେରିଆସିଥିବା ଅଭିଯୋଗ କରିଛନ୍ତି ମହାତିର।

ମୋହିଉଦ୍ଦିନଙ୍କୁ ଶୁକ୍ରବାର କୁଆଲଲମ୍ପୁର ରାଜମହଲ ପକ୍ଷରୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛି। ତେବେ ଏହାକୁ ନେଇ ମହାତିରଙ୍କ ପାର୍ଟି ବିରୋଧ କରୁଥିବା ଜଣାପଡିଛି। ମହିଉଦ୍ଦିନଙ୍କ ମେଣ୍ଟରେ ଦେଶର ମୁସଲମାନ ବହୁଳଙ୍କ ବର୍ଚ୍ଚସ୍ୱ ଥିବା ବେଳେ ନଜୀବ ରଜାକଙ୍କ ପାର୍ଟି ୟୁଏମଏନଓ ମଧ୍ୟ ସମର୍ଥନ କରୁଛି। ତେବେ ମହଉଦ୍ଦିନ କ୍ଷମତା ଲୋଭରେ ଭ୍ରଷ୍ଟାଚାରୀଙ୍କ ସହ ହାତ ମିଳାଇଥିବା ମହାତିରଙ୍କ ଦଳର ଲୋକେ ଅଭିଯୋଗ କରିଛନ୍ତି।