ନୂଆଦିଲ୍ଲୀ ୧୮/୧୧: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ବିଜେପି ଛାଡ଼ିପାରନ୍ତି। ଗୁରୁବାର ଉତ୍ପଳ ନିଜ ପାର୍ଟିକୁ ଚେତାବନୀ ଦେଇ କହିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନରେ ଦଳ ପାନାଜୀରୁ ଟିକେଟ୍ ନଦେଲେ ‘ବଡ଼ ନିଷ୍ପତ୍ତି’ ନେବାକୁ ପଡ଼ିବ। ଏହା ସହ ବିଜେପି ତାଙ୍କୁ ଏହି ସିଟ୍ରୁ ଟିକେଟ୍ ଦେବ ବୋଲି ସେ ଆଶା ପ୍ରକଟ ମଧ୍ୟ କରିଛନ୍ତି ।
ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏହି ସିଟରୁ ୨୫ ବର୍ଷ ଧରି ପ୍ରତିନିଧିତ୍ବ କରିଥିଲେ। ଉତ୍ପଳ ପାରିକର କହିଛନ୍ତି, ‘ମୁଁ ଦଳକୁ ପୂର୍ବରୁ କହିଦେଇଛି ମୁଁ ପାନାଜୀରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛି। ମୋତେ ବିଶ୍ବାସ ଅଛି ଯେ ପାର୍ଟି ମୋତେ ଟିକେଟ୍ ଦେବ।’ ଏହି ସିଟ୍ରୁ ପ୍ରତିନିଧିତ୍ବ କରୁଥିବା ଅତାନାସିୟୋ ମାନସେରେଟ୍ ଅନ୍ୟ ୯ ବିଧାୟକଙ୍କ ସମେତ ବିଜେପିରେ ସାମିଲ ହୋଇଛନ୍ତି। ସେ ୨୦୧୭ରେ କଂଗ୍ରେସ ଟିକେଟ୍ରୁ ନିର୍ବାଚନ ଜିତିଥିଲେ।
ତେବେ ବିଜେପି ଟିକେଟ୍ ନମିଳିଲେ କଣ କରିବେ ବୋଲି ଉତ୍ପଳଙ୍କୁ ପଚରାଯିବାରୁ ସେ କହିଛନ୍ତି, ‘ଏବେ ଏହା ଉପରେ କଥା ହେବାକୁ ସମୟ ଅଛି । ମନୋହର ପାରିକରଙ୍କୁ ସବୁ କିଛି ସହଜରେ ମିଳିଯାଇ ନଥିଲା। ସେହିଭଳି ମୋତେ ମଧ୍ୟ କାମ କରିବାକୁ ପଡ଼ିବ। ମୁଁ ମଧ୍ୟ ସେମିତି କିଛି ବଡ଼ ନିଷ୍ପତ୍ତି ନେଇପାରେ। ଶକ୍ତି ପାଇଁ ପ୍ରାର୍ଥନା କରୁଛି।’ ଏହା ସହ ନିଷ୍ପତ୍ତି ନେବାର ସମୟ ଆସିଲେ ଲୋକଙ୍କ କଥା ଶୁଣିବେ ବୋଲି ଉତ୍ପଳ କହିଛନ୍ତି। ଏହା ସହ ନିଜକୁ ନିଜେ ଆଶ୍ବସନା ଦେଇ ସେ କହିଛନ୍ତି, ପାର୍ଟି ନିଶ୍ଚିତ ଟିକେଟ୍ ଦେବ ।