ଛେଳିଗଡରେ ଦୁଇଭଉଣୀଙ୍କ ଏକାବେଳେ ଆତ୍ମହତ୍ୟା ପଛର କାରଣ କଣ? ପଢନ୍ତୁ କଣ କହୁଛନ୍ତି ପରିବାର ଲୋକେ
Published By : Prameya-News7 Bureau | September 29, 2018 IST

ମୋହନା୨୯|୯: ଗଜପତି ଜିଲ୍ଲା ଆର .ଉଦୟଗିରି ଛେଳିଗଡ ଗାଁରେ ଅଘଟଣ । କୂଅ ଭିତରୁ ଉଦ୍ଧାର ହେଲା ୨ ଭଉଣୀଙ୍କ ମୃତଦେହ । ଛେଳିଗଡ ଗାଁର ପ୍ରମୋଦ ଆଚାରୀଙ୍କ ଝିଅ ସ୍ବପ୍ନା ଏବଂ କିରଣଙ୍କ ମୃତଦେହ ବାଡ଼ି କୂଅରୁ ମିଳିଛି । ପାରିବାରିକ ଅଶାନ୍ତି ନା ପ୍ରେମଜନିତ କାରଣରୁ ଏଭଳି ଅପମୃତ୍ୟୁ ଘଟିଛି, ତାର ତଦନ୍ତ କରୁଛି ପୋଲିସ୍ ।
ଏକା ସଙ୍ଗେ ଦୁଇ ଭଉଣୀଙ୍କ ମୃତ୍ୟୁର କାରଣ କଣ ? ପ୍ରମୋଦଙ୍କର ୫ଝିଅ ଓ ଗୋଟିଏ ପୁଅ ମଧ୍ୟରୁ ୨ ମୃତ ଝିଅ ଅବିବାହିତ । ପୂର୍ବରୁ ୩ ଝିଅ ବିବାହ କରିସାରିଛନ୍ତି । ମୃତ ସାନ ମଝିଆ ଝିଅ ସ୍ବପ୍ନାର ବାହାଘର କିଛିଦିନ ପୂର୍ବରୁ ଭୁବନେଶ୍ବରରେ ସ୍ଥିର ହୋଇଥିଲା । ଏପରିକି ନିର୍ବନ୍ଧ ମଧ୍ୟ ସରିଥିଲା । ତେବେ ହଠାତ ବାହାଘର ଭାଙ୍ଗିଯିବା, ଆତ୍ମହତ୍ୟାର କାରଣ ବୋଲି ଆଶଙ୍କା କରୁଛନ୍ତି ତାଙ୍କ ମାଆ । ଆଉ ବଡ଼ ଭଉଣୀକୁ ଅତ୍ୟଧିକ ଭଲ ପାଉଥିବା ସାନ ଭଉଣୀ ମଧ୍ୟ ତା ସହ ଆତ୍ମହତ୍ୟା କରିଥିବା ସେ କହିଛନ୍ତି ।
ସ୍ବପ୍ନାଙ୍କ ନିର୍ବନ୍ଧ ଭାଙ୍ଗିଯିବା ପଛରେ ପ୍ରମୋଦଙ୍କ ଜ୍ବାଇଁ ଗଣେଶ ସାହୁ ଏବଂ ଅନ୍ୟ କିଛି ବ୍ୟକ୍ତିଙ୍କର ହାତ ଥିବା ସନ୍ଦେହ କରାଯାଉଛି । ଯାହାକୁ ନେଇ ପୋଲିସ ଦ୍ବନ୍ଦ୍ବରେ । ଜି. ଉଦୟଗିର ଥାନା ପୋଲିସ୍ ମୃତଦେହ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସଂପର୍କରେ ଅଧିକ ତଥ୍ୟ ଜଣାପଡିବ ବୋଲି କହିଛି ପୋଲିସ୍ ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ,ଏକାସଙ୍ଗେ ଦୁଇ ଭଉଣୀ ଆତ୍ମହତ୍ୟାର ପ୍ରକୃତ ରହସ୍ୟ କଣ ହୋଇପାରେ ? ପାରିବାରିକ ଅଶାନ୍ତି ନା ବାହାଘର ଭାଙ୍ଗିଯିବା ଏହାର କାରଣ ? ନା ଆତ୍ମହତ୍ୟା ପଛରେ ପ୍ରେମଜନିତ କାରଣ ଲୁଚି ରହିଛି ?