କଳ୍ପନା ଜଳ୍ପନା ଶେଷ, ମୋହନ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ, କନକ ବର୍ଦ୍ଧନ ଓ ପ୍ରଭାତୀ ପରିଡା ହେବେ ଉପମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | June 11, 2024 IST

ଭୁବନେଶ୍ଵର: ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବହୁ ବିଚାର ବିମର୍ଶ ଏବଂ ମାନସ ମନ୍ଥନ ପରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ନାଁ ଉପରେ ବାଜିଛି ମୋହର।  ମୋହନ ମାଝୀ ହେବେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ରାଜ୍ୟ ବିଜେପି ମୁଖ୍ୟାଳୟରେ ଆୟୋଜିତ ବିଧାୟକ ଦଳ ବୈଠକରେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ନବ ନିର୍ବାଚିତ ବିଧାୟକ ଏବଂ ସାଂସଦଙ୍କ ସହ ଆଲୋଚନା ପରେ ନାଁ ଘୋଷଣା କରାଯାଇଛି।ବୈଠକରେ ମୋହନ ମାଝୀ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଭାବେ କେଭି ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ନାଁରେ ଦଳ ମୋହର ମାରିଛି। ଆସନ୍ତାକାଲି ଜନତା ମଇଦାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ  ହେବ। 

ବୈଠକ ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବିଧାୟକ ଦଳ ବୈଠକରେ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ନାଁରେ ମୋହର ମରାଯାଇଛି। ସମସ୍ତ ବିଧାୟକ ସର୍ବସମ୍ମତି କ୍ରମେ ତାଙ୍କ ନାଁ ଉପରେ ମୋହର  ମରାଯାଇଛି। ସେହିପରି ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହ ଦେଓ ଏବଂ ନିମାପଡ଼ାର ବିଧାୟିକା ପ୍ରଭାତୀ ପରିଡ଼ାଙ୍କୁ ଉପମୁଖ୍ୟମନ୍ତ୍ରୀ ନେଇ ବିଧାୟକ ଦଳ ବୈଠକରେ ମୋହର ମରାଯାଇଛି। 

ଆସନ୍ତାକାଲି ଜନତା ମଇଦାନରେ ସନ୍ଧ୍ୟା ୫ଟାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଏହି ତିନି ନେତା ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ଏ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। 

ସୂଚନାଯୋଗ୍ୟ,  ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନାଁ ନେଇ ରାଜ୍ୟ ବିଜେପି ସଭାପତି ଜୟ ନାରାୟଣ ମିଶ୍ର, ବ୍ରଜରାଜନଗରରୁ ନବନିର୍ବାଚିତ ବିଧାୟକ ସୁରେଶ ପୂଜାରୀଙ୍କ ନାଁ ମଧ୍ୟ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ରହିଥିଲା । ସେହିପରି ପାଟଣାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଥିଲା। ହେଲେ କନକ ବର୍ଦ୍ଧନ ସିଂହ ଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ନିର୍ବାଚନ ୨୦୨୪ରେ ୭୮ ସିଟ୍ ଜିତି ରାଜ୍ୟରେ ପ୍ରଥମ ଥର ବିଜେପି ସରକାର ହେଉଛି । ସରକାରକୁ ପ୍ରଗତିଶୀଳ ଓ ଲୋକଙ୍କ ସରକାରରେ ପରିଣତ କରିବାକୁ ଏକ ଦକ୍ଷ ମନ୍ତ୍ରିମଣ୍ଡଳ କରିବାକୁ ଯୋଜନା କରିଛି ଦଳ । 

ସୂଚନାଯୋଗ୍ୟ, ନିର୍ବାଚନ ୨୦୨୪ରେ ବିଜେପି ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜୁ ଜନତା ଦଳର ଗଡ଼କୁ ଧରାଶାୟୀ କରିଥିଲା। ଦଳ ୭୮ ସିଟ୍ ଜିତି ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି। ବିଜେଡି ୫୧ ସିଟ୍ ସହ ନିଜକୁ ସନ୍ତୁଷ୍ଟ ରଖିବାକୁ ପଡ଼ିଛି। କଂଗ୍ରେସ ୧୪ଟି ଆସନରେ ସୀମିତ ରହିଛି। 

  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.