IPL ୨୦୨୪ରୁ ବାହାର ହେଲେ ମହମ୍ମଦ ଶାମି, ବିଶ୍ୱକପର ଆଘାତ ଗୁଜରାଟ ଟାଇଟନ୍ସର ବଢାଇଲା ଚିନ୍ତା

Published By : Prameya-News7 Bureau | February 22, 2024 IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମି ଆଇସିସି ୱାର୍ଲଡ କପ ୨୦୨୩ ପରଠୁ କ୍ରିକେଟ୍ ପଡ଼ିଆରୁ ଦୂରରେ ଅଛନ୍ତି । ଅନୁମାନ କରାଯାଉଥିଲା ଯେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କମବ୍ୟାକ୍ କରିପାରନ୍ତି, କିନ୍ତୁ ତାହା ହୋଇ ନଥିଲା । ଏହାରି ଭିତରେ ଖବର ସାମନାକୁ ଆସୁଛି ଯେ ମହମ୍ମଦ ଶାମି ଏବେ ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ରୁ ବାହାର ହୋଇପାରନ୍ତି । ଶାମିଙ୍କୁ ନେଇ ଏବେ ସୁଦ୍ଧା ତାଙ୍କ ଟିମ୍ ଗୁଜରାଟ ଟାଇଟନ୍ସ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଆସି ନାହିଁ । କିନ୍ତୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଏକ ସୂତ୍ର ଦ୍ୱାରା ଏହି ସୂଚନା ସାମନାକୁ ଆସିଛି ।  

ମହମ୍ମଦ ଶାମି ଯଦି ଆଇପିଏଲ ୨୦୨୪ରୁ ବାହାର ହୁଅନ୍ତି, ତେବେ ଏହା ଗୁଜରାଟ ଟାଇଟନ୍ସ ପାଇଁ ଏକ ବଡ଼ ଝଟକା ହେବ । ଦୁଇ ସଂସ୍କରଣରେ ଗୁଜରାଟ ଟାଇଟନ୍ସରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବରୁ ମୁମ୍ୱାଇ ଇଣ୍ଡିଆନ୍ସକୁ ଯାଇସାରିଛନ୍ତି, ଏବେ ଶାମିଙ୍କ ଟିମରୁ ବାହାର ହେବା ଗୁଜରାଟ ଟାଇଟନ୍ସ ପାଇଁ ବଡ଼ ଅସୁବିଧା ସୃଷ୍ଟି କରିପାରେ । ସୂତ୍ର ଅନୁସାରେ ଶାମିଙ୍କ ବାମ ଗୋଡ଼ରେ ଯେଉଁ ଆଘାତ ଲାଗିଥିଲା, ତାର ସର୍ଜରୀ ପାଇଁ ତାଙ୍କୁ ୟୁକେ ଯିବାକୁ ପଡ଼ିବ ଏବଂ ଏହି କାରଣରୁ ଆଇପିଏଲ ୨୦୨୪ରୁ ବାହାର ହୋଇପାରନ୍ତି ।

ପଢନ୍ତୁ: T-20 କ୍ରିକେଟରେ ଚମକିଲେ ‘ବେବି ମାଲିଙ୍ଗା’, ନୂଆ ରେକର୍ଡ କଲେ ପଥିରାନା

ଉଲ୍ଲେଖଯୋଗ୍ୟ ଯେ ଶାମି ଆଇପିଏଲ ୨୦୨୩ରେ ପର୍ପଲ କ୍ୟାପ୍ ହୋଲ୍ଡର ଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସେ ମୋଟ ୨୮ ୱିକେଟ୍ ନେଇଥିଲେ । ଏହାସହ ବିଶ୍ୱକପ ୨୦୨୩ରେ ସେ ସବୁଠୁ ଅଧିକ ୱିକେଟ୍ ନେଇଥିଲେ । ଶାମି ଜବରଦସ୍ତ ଫର୍ମରେ ଥିଲେ ଏବେ ସମସ୍ତେ ତାଙ୍କ କମବ୍ୟାକକୁ ଚାହିଁ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.