ଅହମଦାବାଦ: ଅହମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ୨୦୨୩ ଫାଇନାଲ୍ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍ରେ ଗୋଟିଏ ପରେ ଗୋଟିଏ ରେକର୍ଡ କରୁଛନ୍ତି ଭାରତୀୟ ଖେଳାଳି। ବିରାଟ କୋହଲି ,କେଏଲ୍ ରାହୁଲ,ମହମ୍ମଦ ଶାମି ଓ ଜଶପ୍ରୀତ ବୁମ୍ରା ସମସ୍ତେ ରେକର୍ଡ କରିଛନ୍ତି।
ମହମ୍ମଦ ଶାମି ଓ ଜସପ୍ରୀତ ବୁମ୍ରା ପ୍ରଥମ ଭାରତୀୟ ବୋଲର ଯୋଡ଼ି ଭାବରେ ବିଶ୍ୱକପ୍ର ଗୋଟିଏ ସଂସ୍କରଣରେ ୨୦ ଲେଖାଏ ୱିକେଟ୍ ନେବାର ରେକର୍ଡ କରିଛନ୍ତି।
ଭାରତୀୟ ବୋଲିଂରେ ମହମ୍ମଦ ଶାମି ଏକ ଶକ୍ତିଶାଳୀ ବୋଲର ଭାବରେ ଉଭା ହୋଇଛନ୍ତି। ଚଳିତ ବିଶ୍ୱକପ୍ରେ ଶାମୀ ଆଜିର ମ୍ୟାଚ୍କୁ ଛାଡ଼ିଦେଲେ ମାତ୍ର ୬ଟି ମ୍ୟାଚ୍ ଖେଳି ସର୍ବାଧିକ ୨୩ ୱିକେଟ୍ ନେଇଛନ୍ତି। ସେ ୩ ଥର ୫ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ସେମିଫାଇନାଲ୍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୭ ୱିକେଟ୍ ନେଇ ରେକର୍ଡ କରିଛନ୍ତି। ବିଶ୍ୱକପ୍ରେ ପ୍ରଥମ ଭାରତୀୟ ଭାବେ ଗୋଟିଏ ମ୍ୟାଚ୍ରେ ସର୍ବାଧିକ ୱିକେଟ୍ ନେଇଛନ୍ତି ଶାମି।
ଅନ୍ୟପଟେ ବୁମ୍ରା ଚଳିତ ବିଶ୍ୱକପ୍ରେ ଭାରତୀୟ ଟିମ୍ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଖେଳ ପ୍ରଦର୍ଶନ କରିଛନ୍ତି। ଯଦିଓ ସେ ଶାମିଙ୍କ ଭଳି ରେକର୍ଡ ବ୍ରେକର ୱିକେଟ୍ ନେଇ ନାହାନ୍ତି ତେବେ ବିଶ୍ୱକପ୍ରେ ତାଙ୍କର ଭଲ ପ୍ରଦର୍ଶନ ରହିଛି।
ପଢ଼ନ୍ତୁ-ବିଶ୍ୱକପ୍ ଫାଇନାଲ୍: ଚଳିତ ସଂସ୍କରଣରେ ଦ୍ୱିତୀୟ ଲୋ ସ୍କୋର କଲା ଭାରତ, ପ୍ରଥମ ଥର ହେଲା ଅଲ୍ ଆଉଟ୍
ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ରେ ପାକିସ୍ତାନ ବିପକ୍ଷରେ ବୁମ୍ରା ୧୯ ରନ୍ ଦେଇ ୨ ୱିକେଟ୍ ନେଇଥିଲେ। ବିଶ୍ୱକପ୍ରେ ସେ ୧୦ଟି ମ୍ୟାଚ୍ ଖେଳି ୧୮ ୱିକେଟ୍ ନେଇଛନ୍ତି। ଆଜିର ମ୍ୟାଚ୍କୁ ମିସାଇଲେ ବର୍ତ୍ତମାନ ସୁଦ୍ଧା ବୁମ୍ରା ଦୁଇ ୱିକେଟ୍ ନେଇସାରିଛନ୍ତି। ଏହାକୁ ମିଶାଇଲେ ବିଶ୍ୱକପ୍ରେ ତାଙ୍କର ୱିକେଟ ସଂଖ୍ୟା ୨୦ ହୋଇଛି।
ଏହା ପୂର୍ବରୁ ମାତ୍ର ଦୁଇଥର ଏଭଳି ରେକର୍ଡ ହୋଇଛି। ୨୦୦୩ ବିଶ୍ୱକପ୍ରେ ଅଷ୍ଟ୍ରେଲିଆର ବ୍ରେଟ୍ ଲୀ ଓ ଗ୍ଲେନ୍ ମାକ୍ଗ୍ରାଥ୍ ଯଥାକ୍ରମେ ୨୨ ଓ ୨୧ ୱିକେଟ୍ ନେଇଥିଲେ। ସେହିପରି ୨୦୦୭ ବିଶ୍ୱକପ୍ରେ ମାକ୍ଗ୍ରାଥ୍ ୨୭ ୱିକେଟ୍ ନେଇଥିବା ବେଳେ ଶଉନ ତାଇତ ୨୩ ୱିକେଟ୍ ନେଇଥିଲେ।
ପଢ଼ନ୍ତୁ-ବିଶ୍ୱକପ୍ ଫାଇନାଲ: ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକୀୟ ଇନିଂସ ଖେଳି ଏହି ରେକର୍ଡ କଲେ କେଏଲ୍ ରାହୁଲ୍