ଦିଲ୍ଲୀ ହିଂସା : ପିଲାଙ୍କ ପାଇଁ କ୍ଷୀର ଆଣିବାକୁ ଯାଇ ନିଜେ ଶବ ହୋଇ ଫେରିଲେ ଇରଫାନ୍
1/03/2020 at 12:17 PM

ନୂଆଦିଲ୍ଲୀ ୧।୩: ଦିଲ୍ଲୀ ଜାଫରାବାଦ ଅଞ୍ଚଳରେ ଛୁଆଙ୍କ ପାଇଁ କ୍ଷୀର ଆଣିବାକୁ ବାହାରକୁ ଯାଇଥିଲେ ଇରଫାନ୍ । ହେଲେ ନିଜେ ଶବ ହୋଇ ଘରକୁ ଫେରିଲେ । ହିଂସାକାଣ୍ଡ ପରେ ଶନିବାର ଦିନ ଦିଲ୍ଲୀରେ ବର୍ଷା ହୋଇଥିଲା । ତିନି ଦିନ ପରେ ତାଙ୍କ ମୃତଦେହ ଘରକୁ ଆସିଛି । ପରିବାରଲୋକଙ୍କୁ ପୋଲିସ କହିଥିଲା ଯେ, ଯଦି ତାଙ୍କ ମୃତଦେହ କରତାରନଗର ସ୍ଥିତ ତାଙ୍କ ଘରକୁ ନିଆଯାଏ ତେବେ ହିଂସାକାଣ୍ଡ ବଢିପାରେ । ତେଣୁ ତାଙ୍କ ମୃତଦେହକୁ ତିନି ଦିନ ପରେ ଘରକୁ ଆଣାଯାଇଛି ।
ଦିଲ୍ଲୀ ହିଂସାକାଣ୍ଡ ଘଟଣାରେ ମୃତ୍ୟୁ ହୋଇଥିବା ମହମ୍ମଦ ଇରଫାନ୍ଙ୍କ ବୟସ ଥିଲା ୨୭ବର୍ଷ । ସେ ମଜୁରୀ କାମ କରିବା ସହ ସ୍କୁଲ ବ୍ୟାଗ୍ ପାଇଁ କପଡା କାଟିବାର କାମ ମଧ୍ୟ କରୁଥିଲେ । ସେ ତାଙ୍କ ବାପା, ମା, ସ୍ତ୍ରୀ ଏବଂ ଦୁଇ ଛୁଆଙ୍କ ସହ ରହୁଥିଲେ । ସେ ଉମାନପୁର ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ । ୨୬ ତାରିଖ ସନ୍ଧ୍ୟାରେ ସେ ତାଙ୍କ ଦୁଇ ଛୁଆଙ୍କ ପାଇଁ କ୍ଷୀର ଆଣିବାକୁ ଯାଇ ବିଦ୍ରୋହକାରୀଙ୍କ ଆକ୍ରମଣର ଶିକାର ହୋଇଥିଲେ । ବୁଧବାର ଦିନ ତାଙ୍କ ମୃତଦେହ ଘରଠାରୁ ପ୍ରାୟ ୩୦୦ମିଟର ଦୂରରେ ମିଳିଥିଲା । ତାଙ୍କ ମୃତଦେହକୁ ଦଳାଯିବା ସହ କଟାଯାଇଥିଲା । ତାଙ୍କ ମୁଣ୍ଡ ଫାଟିଯାଇଥିଲା । ଇରଫାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ସେହିଦିନ ତାଙ୍କ ମୃତ୍ୟୁ ହୋଇଥିଲା । ମାତ୍ର ପୋଲିସ ତାଙ୍କ ମୃତଦେହ ଛାଡିନଥିଲା । ପରିବାରଲୋକଙ୍କ ବହୁ ବୁଝାସୁଝା ପରେ ତିନ ଦିନ ପରେ ତାଙ୍କ ମୃତଦେହ ଘରକୁ ଆସିଥିଲା । ତାଙ୍କ ମୃତଦେହ ଘରକୁ ଆସିଲେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇପାରେ ବୋଲି ପୋଲିସ ଆଶଙ୍କା କରୁଥିଲା । ଯାହା ଫଳରେ ମୃତଦେହ ଘରକୁ ଛାଡୁନଥିଲା ପୋଲିସ ।