ICC ଦିନିକିଆରେ ମହମ୍ମଦ ସିରାଜଙ୍କ ଧମାଲ, ସମସ୍ତଙ୍କୁ ପଛରେ ପକାଇ ହେଲେ ନମ୍ବର ୧ ବୋଲର

Published By : Prameya-News7 Bureau | January 25, 2023 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ ଦିନିକିଆ କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ପ୍ରଭାବଶାଳୀ ପ୍ରଦର୍ଶନର ଫାଇଦା ସିରାଜଙ୍କୁ ମିଳିଛି। ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଦ୍ଵାରା ବୁଧବାର ଘୋଷିତ ସଦ୍ୟତମ ଦିନିକିଆ ବୋଲିଂ ମାନ୍ୟତାରେ ସିରାଜ୍ ଶୀର୍ଷରେ ପହଞ୍ଚିଛନ୍ତି। ସିରାଜ ନିଜ କ୍ରିକେଟ୍ କ୍ୟାରିୟରରେ ସବୁଠୁ ବଡ ଉପଲବ୍ଧି ହାସଲ କରିଛନ୍ତି।

୨୮ ବର୍ଷୀୟ ମହମ୍ମଦ ସିରାଜ ଦିନିକିଆରେ ଏକ ନମ୍ବର ବୋଲର ମାନ୍ୟତା ପାଇଛନ୍ତି। ସେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଏବଂ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ ହେଜେଲଉଡଙ୍କୁ ପଛରେ ପକାଇଛନ୍ତି। ସିରାଜ ୭୨୯ ପଏଣ୍ଟ ସହ ଏକ ନମ୍ବର ବୋଲର ହେବାର ଉପଲବ୍ଧି ହାସଲ କରିଛନ୍ତି। ହେଜେଲଉଡ ୭୨୭ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

wp:html /wp:html

ସିରାଜ୍ ୨୦୧୯ ଜାନୁଆରୀ ୧୯ରେ ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ୍ ମ୍ୟାଚ୍ ଜରିଆରେ ଦିନିକିଆ ପଦାର୍ପଣ କରିଥିଲେ। ଏହି ମ୍ୟାଚ୍‌ରେ ସିରାଜ୍‌ଙ୍କୁ ଓ୍ଵିକେଟ୍ ମିଳିନଥିଲା। ଏହା ପରେ ତିନି ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଦିନିକିଆ ଦଳରେ ସୁଯୋଗ ମିଳିନଥିଲା। ସେ ନିଜର ଦ୍ଵିତୀୟ ଦିନିକିଆ ୨୦୨୨ ଫେବୃଆରୀ ୬ରେ ଖେଳିଥିଲେ। ଏହା ପରେ ସିରାଜ୍ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଏ ପର୍ଯ୍ୟନ୍ତ ସେ ଭାରତ ପାଇଁ ୨୧ଟି ଦିନିକିଆ ମ୍ୟାଚ୍ ଖେଳି ୨୦.୭୩ ହାରରେ ୩୮ଟି ଓ୍ଵିକେଟ୍ ନେଇଛନ୍ତି। ନିକଟରେ ସିରାଜ୍ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଦୁଇଟି ମ୍ୟାଚ୍ ଖେଳି ୫ଟି ଓ୍ଵିକେଟ୍ ନେଇଥିଲେ। ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ତିନୋଟି ଦିନିକିଆରେ ୯ ଓ୍ଵିକେଟ୍ ଦଖଲ କରି ଦିନିକିଆ ଫର୍ମାଟ୍‌ରେ ଚହଳ ପକାଇଥିଲେ।

ବ୍ୟାଟିଂର ଦିନିକିଆ ମାନ୍ୟତାରେ ଶୁଭମନ ଗିଲ୍ ଏବଂ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଫାଇଦା ମିଳିଛି। ଦୁଇ ବ୍ୟାଟର ଦୁଇଟି ଲେଖାଏଁ ସ୍ଥାନ ଉପରକୁ ଉଠିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଦ୍ଵିଶତକ ହାସଲ କରିଥିବା ଗିଲ୍ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ରୋହିତ ଶର୍ମା ୯ମ ସ୍ଥାନରେ ପହଞ୍ଚିଛନ୍ତି। ଦୁଇ ବ୍ୟାଟରଙ୍କ ବ୍ୟତୀତ ଟପ୍-୧୦ରେ ବିରାଟ କୋହଲି ଅଛନ୍ତି। ସେ ଗୋଟିଏ ସ୍ଥାନ ତଳକୁ ଖସି ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.