ଶେଷରେ ଗିରଫ ହେଲା ଶାହରୁଖ, ହିଂସା ବେଳେ ପୋଲିସ ଉପରକୁ ଚଳାଇଥିଲା ଗୁଳି
3/03/2020 at 6:43 PM

ନୂଆଦିଲ୍ଲୀ ମାର୍ଚ୍ଚ ୦୩: ଦିଲ୍ଲୀ ହିଂସା ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିବା ମହମ୍ମଦ ଶାହରୁଖକୁ ମଙ୍ଗଳବାର ଗିରଫ କରାଯାଇଛି। ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଉତ୍ତରପ୍ରଦେଶର ସାମଲୀ ଜିଲ୍ଲାରୁ ଶାହରୁଖକୁ ଗିରଫ କରିଛି। ଗିରଫ କରାଯିବା ପରେ ତାକୁ ଦିଲ୍ଲୀ ମୁଖ୍ୟାଳୟକୁ ଅଣାଯାଇଥିଲା। ଏହାପରେ ପୋଲିସ ସୂଚନା ଦେଇଥିଲା।

ଅତିରିକ୍ତ ପୋଲିସ କମିଶନର ଅଜିତ କୁମାର ସିଙ୍ଗଲା କହିଛନ୍ତି ଯେ, ପୋଲିସ ଶାହରୁଖ ବ୍ୟବହାର କରିଥିବା ବନ୍ଧୁକକୁ ଠାବ କରିବା ପାଇଁ ଉଦ୍ୟମ କରୁଛି। ଶାହରୁଖ କ୍ରୋଧର ବଶବର୍ତ୍ତୀ ହୋଇ ଏପରି କରିଥିବା କହିଛି। ତାହାର କୌଣସି ଅପରାଧିକ ପୃଷ୍ଠଭୂମି ନାହିଁ। କିନ୍ତୁ ତା ପିତାଙ୍କ ବିରୋଧରେ ନିଶା କରାବାର ଓ ନକଲି ନୋଟ ମାମଲା ରହିଛି। ଘଟଣାର ତଦନ୍ତ ଏବେବି ଜାରି ରହିଛି।
ସେ ଆହୁରି କହିଛନ୍ତି ଯେ, ଶାହରୁଖ ବିରୋଧରେ ୩୦୭ ହତ୍ୟା ଉଦ୍ୟମ, ୧୮୬ ଓ ୩୫୩ ଆଇପିସି ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ଆବଶ୍ୟକ ପଡିଲେ ଅନ୍ୟ ଦାରା ସାମିଲ କରାଯିବ। ଅଧିକ ଦିନ ଯାଏଁ ତାକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯିବ। ଯେଉଁ ବନ୍ଧୁକରୁ ସେ ଫାୟାରିଂ କରିଥିଲା ତାହା ବିହାରର ମୁଙ୍ଗେରରେ ତିଆରି ହୋଇଥିଲା। ଏହା ଏକ ସ୍ୱୟଂଚାଳିତ ପିସ୍ତଲ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।