ରାସ୍ତାରେ ରଡ଼ି ଛାଡୁଥିବା ବାଇକ୍ ଉପରେ ରେଡ୍, ଅମାନିଆ ଚାଳକଙ୍କୁ ଅଟକ ରଖିଲା ପୁରୀ ପୋଲିସ
23/09/2023 at 2:55 PM

ପୁରୀ ୨୩।୦୯: ପାର୍ବଣ ଊତୁକୁ ନେଇ ପୁରୀ ସହର ଚଳଚଞ୍ଚଳ ହୋଇପଡିଥିବା ବେଳେ ଆକ୍ସନମୋଡରେ ପୁରୀ ପୋଲିସ। ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଇକ ଗୁଡ଼ିକୁ ପୋଲିସ ପକ୍ଷରୁ ଜବତ କରାଯାଉଥିବା ବେଳେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବା ଅମାନିଆ ବାଇକ୍ ଚାଳକଙ୍କ ଠାରୁ ମଧ୍ୟ ଜରିମାନା ଆଦାୟ କରାଯାଉଛି। ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସିଟି ଡିଏସପିଙ୍କ ନେତୃତ୍ବରେ ଏହି ସ୍ବତନ୍ତ୍ର ଡ୍ରାଇଭକୁ ଜୋରଦାର କରାଯାଇଛି। ସେପଟେ ପୋଲିସର ଏଭଳି ପଦକ୍ଷେପକୁ ସହରବାସୀ ଓ ବୁଦ୍ଧିଜୀବି ସ୍ବାଗତ କରିଥିବା ବେଳେ ନିୟମିତ ଅନ୍ତରାଳରେ ଏଭଳି ଅଭିଯାନ ଜାରି ରହିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।

ମୋଡିଫାଏଡ୍ ସାଇଲେନ୍ସର ଲଗାଇ ଶବ୍ଦ ପ୍ରଦ୍ୟୁଷଣ କରୁଥିବା ବାଇକ୍ ଚାଳକ ଏଣିକି ସାବଧାନ। ବାଇକ୍ ଚାଳନା ଆଳରେ ନିଜର ପତିଆରା ଦେଖାଇବା ପାଇଁ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଇକ୍ ସାଇଲେନ୍ସର ଲଗାଇଲେ ଏଣିକି ପଡିବ ମହଙ୍ଗା। ବାଇକ୍ ସିଜ୍ କରାଯିବା ସହ ମୋଟା ଅଙ୍କର ଜରିମାନା ମଧ୍ୟ ଦେବାକୁ ପଡ଼ିବ। ପୁରୀ ପୋଲିସ ପକ୍ଷରୁ ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ଵରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ଡ୍ରାଇବ୍। ଗତ ଦୁଇଦିନ ଭିତରେ ୯ଟି ବାଇକ୍ ପୋଲିସ ଜବତ କରିଥିବା ବେଳେ ଶବ୍ଦ ପ୍ରଦ୍ୟୁଷଣ କରୁଥିବା ସାଇଲେନ୍ସରକୁ ମଧ୍ୟ କାଢ଼ିଛି ପୋଲିସ। ବାଇକ୍ ଚାଳକଙ୍କ ବିରୋଧରେ ଜରିମାନା ଲଗାଇ ଆଗାମୀ ଦିନରେ ପୁନର୍ବାର ଏହି ଭୁଲ୍ ନକରିବାକୁ ପୋଲିସ ପକ୍ଷରୁ ତାଗିଦ୍ କରାଯାଇଛି।

ସେପଟେ ପୁରୀ ପୋଲିସର ଏଭଳି ଅଭିନବ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସହରବାସୀ ଓ ବୁଦ୍ଧିଜୀବି। ପୁରୀ ଏକ ପର୍ଯ୍ୟଟନ ତଥା ଆଧ୍ୟାତ୍ମିକ କ୍ଷେତ୍ର ହୋଇଥିବାରୁ ପ୍ରତିଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ ଏଠାକୁ। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା, ସୁବିଧା ହେଉଛି ପୋଲିସର ମୂଳ କର୍ତ୍ତବ୍ୟ। ତେବେ ପାର୍ବଣ ଋତୁରେ ସହରରେ ଟ୍ରାଫିକ ନିୟମକୁ କଡାକଡି କରିବା ଏବଂ ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ବିକଟାଳ ଶବ୍ଦ ପ୍ରଦ୍ୟୁଷଣ କରୁଥିବା ଗାଡ଼ି ଗୁଡିକୁ ମଧ୍ୟ ଯାଞ୍ଚ କରୁଛି ପୁରୀ ପୋଲିସ।

ଏଥିସହ ଟ୍ରାଫିକ ନିୟମ ଉଲ୍ଲଙ୍ଘନ, ନୋ ପାର୍କିଂ ଜୋନରେ ଗାଡ଼ି ପାର୍କିଂ କରିବା, ବିନା ହେଲମେଟରେ ଗାଡି ଚଳାଇବା ସହ ମୋବାଇଲ୍ ବ୍ୟବହାର କରିବା ଅଭିଯୋଗରେ ପୋଲିସ ପକ୍ଷରୁ ୩୧୩୧ଟି ମାମଲା ରୁଜୁ କରାଯାଇଛି। ଏଥିସହ ୧୬ ଲକ୍ଷ ୧୫ ହଜାର ୫ଶହ ଟଙ୍କା ଫାଇନ୍ ଆଦାୟ କରାଯାଇଛି। ଆଗାମୀ ଦିନରେ ଏଭଳି ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ସିଟି ଡିଏସପି କହିଛନ୍ତି।