ବଜେଟ୍କୁ ନେଇ ସୁରୁନି ମମତାଙ୍କ କଥା; ଦିଲ୍ଲୀପ ଘୋଷ କହିଲେ- ଲୋକଙ୍କୁ ଭୂଆଁ ବୁଲାଅନି
2/02/2023 at 8:44 PM

ବର୍ଦ୍ଧମାନ ୨।୨: ସଂସଦରେ ବୁଧବାର ବଜେଟ୍ ଦିନ ସେୟାର ବଜାରରେ ଅଭୂତପୂର୍ବ ହ୍ରାସ କେନ୍ଦ୍ରରେ ସରକାର ଭାଙ୍ଗିବା ପରିସ୍ଥିତି ଉପୁଜିଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଏହି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ପୂର୍ବ ବର୍ଦ୍ଧମାନରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ମମତା ଏହି ଦାବି କରିଛନ୍ତି। କେନ୍ଦ୍ରରେ ସରକାରଙ୍କ ଡଙ୍ଗା ଅସମୟରେ ବୁଡୁ ବୁଡୁ ବର୍ତ୍ତିଯାଇଥିବା ସେ କହିଛନ୍ତି।
ଅସମୟରେ ସରକାର ଭାଙ୍ଗିବାରୁ ବର୍ତ୍ତିବା ଲାଗି ଯେଉଁ କମ୍ପାନୀଙ୍କ ସେୟାର ମୂଲ୍ୟରେ ତୀବ୍ର ହ୍ରାସ ହେଉଥିଲା ସେହି ବ୍ୟକ୍ତିଙ୍କୁ ତୁରନ୍ତ ଅର୍ଥ ପହଞ୍ଚାଇବା ପାଇଁ ‘ଡେସ୍ପାରେଟ୍ କଲ’ କରାଯାଉଥିଲା ବୋଲି ମମତା କହିଛନ୍ତି। ତେବେ ପ୍ରସଙ୍ଗରେ ମମତା କାହାର ନାମ ନେଇ ନାହାନ୍ତି। ହେଲେ ପାଣ୍ଠି ପ୍ରଦାନ କରିବା ପାଇଁ କାହାକୁ କାହାକୁ ସମ୍ପର୍କ କରାଯାଇଥିଲା ତାହା ଜାଣେ ବୋଲି ମମତା କହିଛନ୍ତି। ପରିସ୍ଥିତିରୁ କେନ୍ଦ୍ର ସରକାରଙ୍କୁ ମୁକୁଳାଇବା ପାଇଁ ମୋଟ ୬ ଜଣଙ୍କ ସହାୟତା ନିଆଯାଇଥିଲା। ଏଥିରେ କେହି ୩୦ ହଜାର କୋଟି ତ କେହି ୨୦ ଓ ଆଉ କେହି ୧୦ ହଜାର କୋଟି ଟଙ୍କାର ପାଣ୍ଠି ସେହିମାନଙ୍କୁ ଯୋଗାଇ ଦେଇଥିଲେ ଯେଉଁମାନଙ୍କ ସେୟାର ମୂଲ୍ୟ ବଜାରରେ ଖସୁଥିଲା ବୋଲି କହିଛନ୍ତି।

ତେବେ ଏପରି ସରକାର ଯାହାର କୌଣସି ଯୋଜନା ନାହିଁ, ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବ କେମିତି ବୋଲି ମମତା ପ୍ରଶ୍ନ କରିଛନ୍ତି। ସେହିପରି ୨୦୨୩-୨୪ କେନ୍ଦ୍ର ବଜେଟ୍ରେ ପ୍ରସ୍ତାବିତ ଆୟକର ରିହାତିକୁ ମମତା ଆଖିରେ ଧୂଳି ପକାଇବା ଭଳି କହିଛନ୍ତି। ସରକାର ଗୋଟିଏ ପଟେ କର ରିହାତି ଦେଇଛନ୍ତି ଅନ୍ୟପଟେ ନିବେଶରେ ମିଳୁଥିବା ରିହାତିକୁ ଅସ୍ୱୀକାର କରିଦେଇଛନ୍ତି। ଏହା ଅଢେଇ ଟଙ୍କା କାଟିକି ୨ ଟଙ୍କା ଦେବା ଭଳି ବ୍ୟବସ୍ଥା ହୋଇଛି ବୋଲି ମମତା କହିଛନ୍ତି।
ତେବେ ମମତାଙ୍କ ମନ୍ତବ୍ୟ ଉପରେ ବୟାନ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଲୋକସଭା ସାଂସଦ ଦିଲ୍ଲୀପ ଘୋଷ। ଦିଲ୍ଲୀପ କହିଛନ୍ତି ଯେ ବୁଧବାର ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଲାଗି ଦୁଃସ୍ୱପ୍ନ ପାଲଟିଯାଇଛି। ଏଣୁ ମମତା ସେୟାର ବଜାର ପରିସ୍ଥିତି ଯୋଗୁ କେନ୍ଦ୍ର ସରକାର ଭାଙ୍ଗିବା ଭଳି କାଳ୍ପନିକ ଦାବି କରୁଥିବା କହିଛନ୍ତି। ତେବେ ଏପରି ଦାବି କରି ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକଙ୍କୁ ବୋକା ବନେଇ ପାରିବେନି ବୋଲି ଦିଲ୍ଲୀପ ଘୋଷ କହିଛନ୍ତି।