ଟ୍ରମ୍ପଙ୍କ ବରାବର ହେବେ ପ୍ରଧାନମନ୍ତ୍ରୀ ମୋଦୀ, ଆଗାମୀ ସପ୍ତାହରେ ଭାରତରେ ଅବତରଣ କରିବ ମିସାଇଲ ଡିଫେନ୍ସ ସିଷ୍ଟମ ବିମାନ
21/08/2020 at 4:01 PM

ନୂଆଦିଲ୍ଲ ୨୧।୦୮: ଭାରତର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତିଙ୍କ ବିମାନ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ଆଗାମୀ ସପ୍ତାହରେ ଦେଶରେ ଉଚ୍ଚକ୍ଷମତାସଂପନ୍ନ ବିମାନ ଅବତରଣ କରିବ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିମାନ ଯାତ୍ରା ପାଇଁ ମିଳିବାକୁ ଥିବା ଏୟାରଫୋର୍ସ ଓ୍ଵାନ ସେନା ପରି ଏବେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଏୟାର ଇଣ୍ଡିଆ ଓ୍ଵାନ ସୁବିଧା ଯୋଗାଇ ଦିଆଯିବ। ସୁତ୍ର ଅନୁଯାୟୀ ଭାରତ ଆମେରିକାରୁ ଦୁଇଟି ବୋଇଙ୍ଗ-୭୭୭ ବିମାନ କ୍ରୟ କରିବ। ଗୋଟିଏ ବିମାନ ଆଗାମୀ ସପ୍ତାହରେ ଏବଂ ଅନ୍ୟଟି ବର୍ଷର ଶେଷ ସୁଦ୍ଧା ଭାରତକୁ ମିଳିବ।
ସୂତ୍ର ଅନୁଯାୟୀ ଏୟାର ଇଣ୍ଡିଆ ଓ୍ଵାନର ଏହି ବିମାନରେ ମିସାଇଲ ଡିଫେନ୍ସ ସିଷ୍ଟମ ସଜ୍ଜିତ ରହିବ। ଏହାକୁ ଲାର୍ଜ ଏୟାରକ୍ରାଫ୍ଟ ଇନଫ୍ରାରେଡ୍ କାଉଣ୍ଟରମେଜର୍ସ ଓ ସେଲ୍ଫ ପ୍ରୋଟେକ୍ସନ ସୁଇଟ୍ସ(ଏସପିଏସ) ମଧ୍ୟ କୁହାଯାଏ। ଏହି ବିମାନକୁ ବାୟୁସେନାର ଯବାନ ଉଡାଇବେ। ଏହି ନୂତନ ବୋଇଙ୍ଗର ରକ୍ଷଣାବେକ୍ଷଣ ଏୟାର ଇଣ୍ଡିଆର ଇଞ୍ଜିନିୟରିଂ ସର୍ଭିସ୍ ଲିମିଟେଡ୍(ଏଆଇଇଏସଏଲ) ଦ୍ଵାରା କରାଯାଏ। ଏସପିଏସ ଜରିଆରେ ବିମାନ ଶତ୍ରୁର ରାଡାରର ଫ୍ରିକ୍ୟୁନ୍ସିକୁ ଜାମ କରି ଦେବ। ଚଳିତ ବର୍ଷ ଫେବୃଆରୀରେ ଆମେରିକାର ୧୯୦ ମିଲିୟନ ଡଲାର ମୂଲ୍ୟରେ ଦୁଇଟି ଡିଫେନ୍ସ ସିଷ୍ଟମ ଭାରତକୁ ଦେବା ନେଇ ସହମତି ପ୍ରକାଶ କରିଥିଲା।
ଏ ପର୍ଯ୍ୟନ୍ତ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବିମାନ ଯାତ୍ରା ପାଇଁ ଏୟାର ଇଣ୍ଡିଆର ବୋଇଙ୍ଗ ୭୪୭ ବିମାନର ବ୍ୟବହାର କରାଯାଉଛି। ଏହି ବିମାନକୁ ଏୟାର ଇଣ୍ଡିଆ ଓ୍ଵାନ କୁହାଯାଏ। ଭାରତୀୟ ଉଚ୍ଚ ଅଧିକାରୀଙ୍କ ପାଇଁ ଏୟାର ଇଣ୍ଡିଆର ପାଇଲଟ୍ ବୋଇଙ୍ଗ ୭୪୭ ଏୟାରକ୍ରାଫ୍ଟ ଉଡାଇଥାନ୍ତି ଏବଂ ଏଆଇଇଏସଏଲ ଏହାର ରକ୍ଷଣାବେକ୍ଷଣ କରିଥାନ୍ତି।