ରାଜାସ୍ଥାନ ଚୁରୁରେ ପ୍ରଧାନମନ୍ତ୍ରୀଙ୍କ ଭୋଟ ପ୍ରଚାର, କ୍ରିକେଟ୍ ଅନ୍ଦାଜରେ ଟାର୍ଗେଟ କଲେ କଂଗ୍ରେସକୁ
19/11/2023 at 9:12 PM

ଚୁରୁ ୧୯।୧୧: ରାଜସ୍ଥାନ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରଧାନମନ୍ତ୍ରୀ ରବିବାର ଚୁରୁରେ ପ୍ରଚାର କରିଛନ୍ତି। ଅହମଦାବାଦରେ ୱାର୍ଲଡକପ୍ ଫାଇନାଲ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ କ୍ରିକେଟ ଅନ୍ଦାଜରେ କଂଗ୍ରେସ କୁ ଟାର୍ଗେଟ୍ କରିଥିଲେ। କହିଥିଲେ କଂଗ୍ରେସରେ ଜଣେ ଜଣକୁ ରନ୍ ଆଉଟ୍ କରୁଛନ୍ତି, ଏଥିରେ ଯେଉଁମାନେ ବର୍ତ୍ତି ଯାଉଛନ୍ତି ହିଟ୍ ୱିକେଟ୍ ହେଉଛନ୍ତି। ଏଣୁ ରାଜସ୍ଥାନରେ ନିର୍ବାଚନ କପ୍ ବିଜେପି ଜିତୁଥିବା ସେ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ବିଜେପିର ସରକାର ହେଲେ ପ୍ରତ୍ୟେକ ବର୍ଷ ଡିସେମ୍ବର ୩ ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ୧୨ ହଜାର ଟଙ୍କା ଆସିବ।
ପ୍ରଧାନମନ୍ତ୍ରୀ ମୋଦି ତାରାନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ରାଜେନ୍ଦ୍ର ରାଠୋରଙ୍କ ପାଇଁ ପ୍ରଚାର କରିବା ପରେ ଚୁରୁ ପହଞ୍ଚିଥିଲେ। ଏଠାରେ ରାଜ୍ୟର ଦ୍ରୁତ ବିକାଶ ନିମନ୍ତେ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ପାର୍ଟିକୁ ଭୋଟ ଦେବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ ଚୁରୁର ଭୂମି ଉପରେ କଂଗ୍ରେସର ଆଖି ପଡିଯାଇଛି। ତେବେ କଂଗ୍ରେସରେ ଜଣେ ଜଣକୁ ରନ ଆଉଟ୍ କରୁଥିବା ଓ ଯିଏ ବର୍ତ୍ତି ଯାଉଛି ମହିଳା ଓ ଅନ୍ୟ ପ୍ରସଙ୍ଗରେ ଆଲତୁ ଫାଲତୁ ବୟାନ ଦେଇ ହିଟ୍ ୱିକେଟ୍ ହେଉଥିବା କହିଛନ୍ତି। ଏହା ପରେ ବି ଯେଉଁମାନେ ଅଛନ୍ତି ସେମାନେ ପଇସା ନେଇ ମ୍ୟାଚ୍ ଫିକ୍ସ କରୁଥିବା କହିଛନ୍ତି।
ଏଥିରେ ଏପରି ଏକ ଖରାପ ଟିମ୍ କିପରି ସ୍କୋର କରି ନିର୍ବାଚନୀ ମ୍ୟାଚ୍ ଜିତିପାରିବ ଓ ଆପଣଙ୍କ କି କାମରେ ଆସିବ ବୋଲି ପ୍ରଧାନମନ୍ତ୍ରୀ ଭୋଟରଙ୍କୁ ପ୍ରଶ୍ନ କରିଥିଲେ। ଏଥିରେ ଲାଲ ଡାଇରିର ପୃଷ୍ଠା ଆସ୍ତେ ଆସ୍ତେ ଖୋଲୁଥିବା ଓ ଏଥିରେ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କ ଫ୍ୟୁଜ୍ ଉଡୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଗେହଲୋଟଙ୍କ ଜାଦୁ ଏବେ ଲାଲ ଡାୟରୀରେ ଦେଖିବାକୁ ଲାଗିଲାଣି ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଆମକୁ ପ୍ରତ୍ୟେକ ପୋଲିଂ ବୁଥରେ ୫ରୁ ୭ ସେଞ୍ଚୁରି ଲଗାଇବାକୁ ପଡିବ ବୋଲି କହିଛନ୍ତି।
ଏଥିରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଉପଲବ୍ଧି ଗଣାଇ କହିଥିଲେ ଯେ ଆଜି ଭାରତ ସବୁ କ୍ଷେତ୍ରରେ ପ୍ରଗତି କରୁଛି। ଚନ୍ଦ୍ରଯାନ ଚନ୍ଦ୍ରରେ ପହଞ୍ଚିଲା, କରୋନାର ଦେଶୀ ଟିକା ତିଆରି ହେଲା ବୋଲି କହିଛନ୍ତି। ତେବେ କଂଗ୍ରେସ ଓ ବିକାଶ ପରସ୍ପର ଶତ୍ରୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଣୁ ବିକାଶ ଆବଶ୍ୟକ କରୁଥିଲେ କଂଗ୍ରେସକୁ ଯେତେ ଦୂରରେ ରଖିବ ସେତେ ଭଲ ହେବ ବୋଲି କହିଛନ୍ତି। ଏଥିରେ ରାଜସ୍ଥାନ ବଡ଼ ଭୂମିକା ନିର୍ବାହ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।