ସୋନିଆଙ୍କୁ ଛତା ଏବଂ ଖଡଗେ ଖରାରେ ଛିଡା ହେବା ନେଇ ମୋଦୀଙ୍କ ଆକ୍ଷେପ, କହିଲେ- ଆପଣମାନେ ସବୁ ବୁଝି ପାରୁଥିବେ
27/02/2023 at 6:58 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବେଲଗାଭିରେ କଂଗ୍ରେସ ଉପରେ ଶାଣିତ ସ୍ଵରରେ ହମଲା କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଅଧିବେଶନ ସମୟରେ ସୋନିଆ ଗାନ୍ଧୀଙ୍କୁ ଛତା ମିଳିବା ଏବଂ ମଲ୍ଲିକାର୍ଜୁନ ଖଡଗେ ଖରାରେ ଛିଡା ହେବା ନେଇ ପ୍ରଶ୍ନ କରିଛନ୍ତି। ଏହା ବରିଷ୍ଠଙ୍କ ପ୍ରତି ଅପମାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, କଂଗ୍ରେସ ପାର୍ଟି ଗୋଟିଏ ପରିବାର ସାମ୍ନାରେ କର୍ଣ୍ଣାଟକର ଆଉ ଜଣେ ନେତାଙ୍କୁ ଅପମାନିତ କରିଛି। ଏହି ମାଟିର ପୁଅ ଏବଂ ୫୦ ବର୍ଷ ପର୍ଯ୍ୟନ୍ତ ସାଂସଦ ରହିଥିବା ମଲ୍ଲିକାର୍ଜୁନ ଖଡଗେଙ୍କୁ ମୁଁ ବହୁତ ସମ୍ମାନ କରେ। ମାତ୍ର ମୁଁ ଏହା ଦେଖି ଦୁଃଖିତ ଯେ କଂଗ୍ରେସ ଅଧିବେଶନ ସମୟରେ ନିଜେ ଅଧ୍ୟକ୍ଷ ଥାଇ ଏବଂ ସବୁଠୁ ବରିଷ୍ଠ ନେତା ହେବା ପରେ ବି ତାଙ୍କୁ ଛତାଟିଏ ମିଳିଲା ନାହିଁ।
ମୋଦୀ କହିଛନ୍ତି, ନିକଟରେ ଅନ୍ୟ ପାଇଁ ଛତାର ବ୍ୟବସ୍ଥା କରାଯାଇଥିଲା। ଏଥିରୁ ଜଣା ପଡୁଛି ଯେ, ଖଡଗେ ନାମକୁ ମାତ୍ର ଅଧ୍ୟକ୍ଷ। କେଉଁଭଳି ତାଙ୍କୁ ବ୍ୟବହାର କରାଯାଉଛି ଏହା ପୂରା ଦୁନିଆ ବୁଝି ପାରୁଛି ଯେ ରିମୋଟ୍ କଣ୍ଟ୍ରୋଲ କାହା ହାତରେ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, କିଛି ଲୋକ ନିର୍ବାଚନରେ ପରାଜିତ ହୋଇ ଏତେ ନିରାଶ ହୋଇଗଲେ ଯେ, ସେମାନଙ୍କୁ ଲାଗୁଛି ମୋଦୀ ଯେ ପର୍ଯ୍ୟନ୍ତ ଅଛି ସେ ପର୍ଯ୍ୟନ୍ତ ସେମାନଙ୍କର ସେମିତି ଅବସ୍ଥା ଲାଗି ରହିବ।
କଂଗ୍ରେସର ଲୋକ ଏତେ ନିରାଶ ହୋଇ ପଡିଛନ୍ତି ଯେ, ମୋଦୀ ମରିଯାଉ ବୋଲି କହୁଛନ୍ତି। କିଛି ଲୋକ ତ କବର ଖୋଳିବାରେ ବ୍ୟସ୍ତ ରହିଲେ। କହୁଛନ୍ତି ମୋଦୀ ତୋର କବର ଖୋଳିବି, ମାତ୍ର ଦେଶ କହୁଛି ମୋଦୀ ତୋର ପଦ୍ମ ଫୁଟିବ। କଂଗ୍ରେସକୁ ସମାଲୋଚନା କରିବା ସହିତ ବେଲଗାଭିରୁ ହିଁ ପ୍ରଧାନମନ୍ତ୍ରୀ ମୋଦୀ ପିଏମ କିଷାନ ସମ୍ମାନ ନିଧି ଯୋଜନାର ନୂତନ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ହୋଲି ଅବସରରେ ଏହା କୃଷକଙ୍କ ପାଇଁ ଉପହାର ବୋଲି ମୋଦୀ କହିଛନ୍ତି।