ନୂଆଦିଲ୍ଲୀ ୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେକ୍ସିକୋ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା କ୍ଲାଉଡିଆ ଶିନବାମଙ୍କୁ ଗୁରୁବାର ଶୁଭେଚ୍ଛା ଜଣାଇଛନ୍ତି। କ୍ଲାଉଡିଆ ମେକ୍ସିକୋର ପ୍ରଥମ ମହିଳା ରାଷ୍ଟ୍ରପତି। ଏ ନେଇ ମୋଦି ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ କ୍ଲାଉଡିଆ ମେକ୍ସିକୋର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିବାରୁ ଶୁଭେଚ୍ଛା ଜଣାଇବା ସହିତ ଲାଟିନ ଆମେରିକୀୟ ଦେଶଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅବସର ବୋଲି କହିଛନ୍ତି।
କ୍ଲାଉଡିଆ ଶିନବାମ ନିକଟରେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେ ପେଷାରେ ଜଣେ ଜଳବାୟୁ ବୈଜ୍ଞାନିକ ହୋଇଥିବା ବେଳେ ମେକ୍ସିକୋ ସିଟିର ପୂର୍ବତନ ମେୟର ଥିଲେ। ତାଙ୍କୁ ପ୍ରଥମରୁ ହିଁ ରାଷ୍ଟ୍ରପତି ଆନ୍ଦ୍ରେଜ୍ ମେନୁଏଲ ଲୋପେଜ ଓବ୍ରାଡୋରଙ୍କ ପସନ୍ଦର ଉତ୍ତରାଧିକାରୀ ଭାବେ ଦେଖାଯାଉଥିଲା। ଏବେ ନିର୍ବାଚନରେ ଜନତା ତାଙ୍କୁ ବହୁମତରେ ନିର୍ବାଚିତ କରିଛନ୍ତି। ମେକ୍ସିକୋର ପ୍ରଥମ ମହିଳା ରାଷ୍ଟ୍ରପତି ହେବା ପରେ କ୍ଲାଉଡିଆ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।