ସଂପ୍ରସାରଣ ହେବ ମୋଦୀ ସରକାରଙ୍କ କ୍ୟାବିନେଟ୍‌, ସ୍ଥାନ ପାଇବେ ନୂଆ ମୁହଁ, ଦିଲ୍ଲୀରେ ଆରମ୍ଭ ହୋଇଗଲାଣି କସରତ

Published By : Prameya-News7 Bureau | November 30, 2020 IST

ନୂଆଦିଲ୍ଲୀ, ୩୦|୧୧:   ସଂସଦର ଆଗାମୀ ଅଧିବେଶନ ପୂର୍ବରୁ ମୋଦୀ ସରକାରଙ୍କ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହୋଇପାରେ । ଏବେସୁଦ୍ଧା ଏନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ବିହାରରେ ଏନଡିଏ ସରକାର ଜିତିବା ସହ ଦେଶର ବିଭିନ୍ନ ରାଜ୍ୟରେ ହୋଇଥିବା ଉପ ନିର୍ବାଚନରେ ବିଜେପିକୁ ଅହେତୁକ ସଫଳତା ମିଳିଛି । ଫଳରେ ମନ୍ତ୍ରୀମଣ୍ଡଳରେ ସଂପ୍ରସାରଣ ଚର୍ଚ୍ଚା ଜୋର୍ ଧରିଛି ।

ମନ୍ତ୍ରୀମଣ୍ଡଳରେ ସଂପ୍ରସାରଣ ଚର୍ଚ୍ଚା ଜୋର ଧରିବା ମଧ୍ୟରେ ଏବେ ବିଭିନ୍ନ ବିଜେପି ନେତା ଦିଲ୍ଲୀରେ ଆସି ବରିଷ୍ଠ କର୍ମକର୍ତ୍ତାଙ୍କୁ ଭେଟୁଛନ୍ତି । ବିହାର ନିର୍ବାଚନରେ ସଫଳତା ପଛରେ ହାତ ଥିବା କିଛି ନେତା ମଧ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ପାଇଁ ଲବି ଆରମ୍ଭ କରିଦେଇଛନ୍ତି । ଏପରିକି ଜେଡିୟୁର କିଛି ସାଂସଦ ମଧ୍ୟ କ୍ୟାବିନେଟରେ ସାମିଲ ହେବା ପାଇଁ ଆଶା ରଖିଛନ୍ତି । ଏଲଜେପିର ବରିଷ୍ଠ ନେତା ରାମବିଳାସ ପାଶ୍ୱଓ୍ୱାନଙ୍କ ଦେହାନ୍ତ ପରେ ଜେଡିୟୁ ନେତାଙ୍କ ସମ୍ଭାବନା ଜୋର୍ ଧରିଛି । ସେହିପରି ରାମଦାସ ଆଠଓ୍ୱାଲେଙ୍କୁ ମଧ୍ୟ ପଦୋନ୍ନତି ମିଳିପାରେ ।

ମଧ୍ୟପ୍ରଦେଶ ଉପନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଏଠାରୁ କେହି ନେତା ମନ୍ତ୍ରୀ ହୋଇପାରନ୍ତି । କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ସୂତ୍ରାନୁସାରେ, ସଂସଦର ଆସନ୍ତା ଅଧିବେଶନ ପୂର୍ବରୁ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରାଯାଇପାରେ । ଏହାସହ ଆସନ୍ତାବର୍ଷ ହେବାକୁ ଥିବା ବଜେଟ୍ ଅଧିବେଶନ ସହ ଏହାକୁ ଯୋଡା ଯାଇପାରେ ବୋଲି ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.