ମୋଦିଙ୍କ କ୍ୟାବିନେଟ ମନ୍ତ୍ରୀ ଲେଖି ପାରିଲେନି ‘ବେଟି ବଚାଓ ବେଟି ପଢାଓ’, ଯାହା ଲେଖିଲେ ତାହା ପାଲଟିଛି ଚର୍ଚ୍ଚାର ବିଷୟ

Published By : Prameya-News7 Bureau | June 19, 2024 IST

ଧାର ୧୯।୬: ମୋଦି ସରକାରରେ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ‘ବେଟି ବଚାଓ ବେଟି ପଢାଓ’ ସ୍ଲୋଗାନ ଠିକ୍‌ରେ ଲେଖି ପାରି ନାହାନ୍ତି। ତେବେ ସେ ଯାହା ଲେଖିଲେ ତାହା ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ କଂଗ୍ରେସ ମଧ୍ୟ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି। ଉତ୍ତରପ୍ରଦେଶ ଧାର ଜିଲ୍ଲାରେ ଆୟୋଜିତ ୩ ଦିବସୀୟ ପ୍ରବେଶ ଉତ୍ସବକୁ ଉଦଘାଟନ କରିବା ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଜ୍ୟମନ୍ତ୍ରୀ ସାବିତ୍ରୀ ଠାକୁରଙ୍କୁ ନିମନ୍ତ୍ରଣ କରାଯାଇଥିଲା। 

କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ତିଲକ ଲଗାଇ ସ୍ୱାଗତ କରିବା ପରେ ଶିକ୍ଷା ରଥକୁ ସବୁଜ ପତାକା ଦେଖାଇ ଉଦଘାଟନ କରାଯିବାର ଥିଲା। ଏହା ପୂର୍ବରୁ ରଥରେ ଲଗାଯାଇଥିବା ଫ୍ଲେକ୍ସରେ ସାବିତ୍ରୀ ଠାକୁରଙ୍କୁ  ପ୍ରଧାନମନ୍ତ୍ରୀଙ୍କ ସ୍ଲୋଗାନ ‘ବେଟି ବଚାଓ ବେଟି ପଢାଓ’ ଲେଖିବାର ଥିଲା। ହେଲେ ସେ ‘ବେଟି ପଢାଓ ବଚାବ’ ଲେଖି ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଲେଖୁଥିବା ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ  ଜିଲ୍ଲା ପଞ୍ଚାୟତ ସଦସ୍ୟ ମୁକାମ ସିଂହ ଅଲାବା ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। 


ଏହାକୁ ନେଇ ମୁକାମ ସିଂହ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେ ‘ଲୋକସଭା ନିର୍ବାଚନ ଜିତିଥିବା ଧାର-ମହୂ ସାଂସଦ ତଥା କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଜ୍ୟମନ୍ତ୍ରୀ ସାବିତ୍ରୀ ଠାକୁରଙ୍କୁ ବେଟି ବଚାଓ ବେଟି ପଢାଓ ଲେଖିବାର ଥିଲା, ତାହା ବି ସେ ଲେଖି ପାରିଲେନି, ବଡ଼ ଦୁର୍ଭାଗ୍ୟର ବିଷୟ’। ମନ୍ତ୍ରୀ ଲେଖିଥିବା ଭୁଲ ସ୍ଲୋଗାନର ଭଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଉପରେ ଲୋକେ ତାଙ୍କର ପ୍ରତିକ୍ରିୟା ବି ଦେଉଛନ୍ତି। 


ନିକଟରେ ଲୋକସଭାକୁ ନିର୍ବାଚିତ ହୋଇଥିବା ସାଂସଦ ତାଙ୍କ ପ୍ରାର୍ଥୀପତ୍ର ସହ ଦାଖଲ କରିଥିବା ଆଫିଡେଭିଟ ଅନୁସାରେ ତାଙ୍କ ଶୈକ୍ଷଣିକ ଯୋଗ୍ୟତା ଦ୍ୱାଦଶ ପାସ୍ ବୋଲି ଉଲ୍ଲେଖ କରିଛନ୍ତି। ଦେଶରେ ଜଣେ ଦ୍ୱାଦଶ ଉତୀର୍ଣ୍ଣ ବ୍ୟକ୍ତି ଯଦି ଲେଖି ପାରୁ ନାହାନ୍ତି ଏହା ଦେଶର ଶିକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଣୁ ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ବେଳେ ଲୋକେ ଟ୍ରୋଲ କରିବାରେ ଲାଗିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.