ମୋଦୀ କ୍ୟାବିନେଟ୍ରେ ଅନ୍ନ ସଂରକ୍ଷଣ ଯୋଜନାକୁ ମଞ୍ଜୁରୀ, ପ୍ରତି ବ୍ଲକରେ ତିଆରି ହେବ ଗୋଦାମ
31/05/2023 at 6:07 PM

ନୂଆଦିଲ୍ଲୀ, ୩୧/୦୫: ସଂରକ୍ଷଣ ଅଭାବରୁ ନଷ୍ଟ ହେବନି ଖାଦ୍ୟ ଶସ୍ୟ। ବଢ଼ାଯିବ ଖାଦ୍ୟଶସ୍ୟ ସଂରକ୍ଷଣ କ୍ଷମତା। ଏଥିପାଇଁ ଦେଶର ସବୁ ସମବାୟ କ୍ଷେତ୍ରରେ ତିଆରି ହେବ ଅଧିକ ସଂରକ୍ଷର କ୍ଷମତା ସଂପନ୍ନ ଗୋଦାମ। ବୁଧବାର କେନ୍ଦ୍ର ମନ୍ତ୍ରୀମଣ୍ଡଳର ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ଏହି ବୈଠକରେ ଦେଶରେ ସମବାୟ କ୍ଷେତ୍ରରେ ଶସ୍ୟ ସଂରକ୍ଷଣ କ୍ଷମତା ବୃଦ୍ଧି ପାଇଁ ଏକ ଲକ୍ଷ କୋଟି ଟଙ୍କାର ଯୋଜନାକୁ ମଞ୍ଜୁରୀ ଦିଆଯାଇଛି।

ସମବାୟ କ୍ଷେତ୍ରରେ ବିଶ୍ବର ସବୁଠୁ ବଡ଼ ଅନ୍ନ ସଂରକ୍ଷଣ ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ ଦିଆଯାଇଥିବା ନେଇ ବୁଧବାର କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘’ସମବାୟ କ୍ଷେତ୍ରରେ ଶସ୍ୟ ସଂରକ୍ଷଣ କ୍ଷମତା ୭୦୦ ଲକ୍ଷ ଟନ୍ ବଢ଼ାଇବା ପାଇଁ ଏକ ଲକ୍ଷ କୋଟିର ଯୋଜନାକୁ ମଞ୍ଜୁରୀ ଦିଆଯାଇଛି। ବର୍ତ୍ତମାନ ଦେଶରେ ଶସ୍ୟ ସଂରକ୍ଷଣ କ୍ଷମତା ୧,୪୫୦ ଲକ୍ଷ ଟନ୍ ରହିଛି। ଯାହାକୁ ଆଗାମୀ ପାଞ୍ଚ ବର୍ଷରେ ବଢ଼ାଇ ୨,୧୫୦ ଲକ୍ଷ ଟନ କରାଯିବ। ଏଥିପାଇଁ ପ୍ରତି ବ୍ଲକରେ ୨ ହଜାର ଟନ୍ ସଂରକ୍ଷଣ କ୍ଷମତାର ଗୋଦାମ ତିଆରି କରାଯିବ।’’

ଆହୁରି ପଢ଼ନ୍ତୁ: କାଲିଠୁ ହେବାକୁ ଯାଉଛି ବଡ ପରିବର୍ତ୍ତନ, ଆପଣଙ୍କ ପକେଟ୍ ହେବନି ତ ପ୍ରଭାବିତ
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ‘ଭାରତ ବିଶ୍ବରେ ଖାଦ୍ୟଶସ୍ୟର ସବୁଠୁ ବଡ଼ ଉତ୍ପାଦକ ମଧ୍ୟରୁ ଗୋଟିଏ। ଅନ୍ତର୍ଜାତୀୟ ସ୍ତରରେ ସବୁ ବଡ଼ ଉତ୍ପାଦକ ଚୀନ, ଆମେରିକା, ବ୍ରାଜିଲ୍, ରୁଷ, ଆର୍ଜେଣ୍ଟିନା ଆଦିଙ୍କ ପାଖରେ ନିଜର ବାର୍ଷିକ ଉତ୍ପାଦନଠାରୁ ଅଧିକ ସଂରକ୍ଷଣ କ୍ଷମତା ରହିଛି। କିନ୍ତୁ ଭାରତରେ ଅନ୍ନ ସଂରକ୍ଷଣ କ୍ଷମତା ବାର୍ଷିକ ଉତ୍ପାଦନର କେବଳ ୪୭% ରହିଛି । ଫଳରେ ଖାଦ୍ୟ ଶସ୍ୟ ନଷ୍ଟ ହେଉଛି ଚାଷୀ କମ୍ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ସେ ଆହୁରି ଦେଶରେ ବାର୍ଷିକ ୩,୧୦୦ ଲକ୍ଷ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥାଏ। ସଂରକ୍ଷଣ ସୁବିଧା ଅଭାବରୁ ହେଉଥିବା କ୍ଷତିରୁ ବଞ୍ଚାଇବା, ଚାଷୀଙ୍କୁ ସଙ୍କଟ ସମୟରେ ନିଜ ଉତ୍ପାଦକୁ ଶାଗ-ମାଛ ଦରରେ ବିକ୍ରି କରିବାକୁ ରୋକିବା, ଆମଦାନୀ ଉପରେ ନିର୍ଭରତା କମ୍ କରିବା ଏବଂ ଗାଁରେ ରୋଜଗାର ଅବସର ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ। ଅଧିକ ସଂରକ୍ଷଣ କ୍ଷମତା ଦ୍ବାରା ଚାଷୀଙ୍କ ପାଇଁ ପରିବହନ ଖର୍ଚ୍ଚ କମ୍ ହେବ ଓ ଖାଦ୍ୟ ସୁରକ୍ଷା ମଜବୁତ ହେବ।
ଆହୁରି ପଢ଼ନ୍ତୁ: OTT ଉପରେ ଲାଗିଲା କଟକଣା, ଏବେ ତମାଖୁ ଚେତାବନୀ ଦେଖାଇବା ବାଧ୍ୟତାମୂଳକ