ମୋଦି ୩.O ସରକାର; ସଂଧ୍ୟାରେ ପ୍ରଥମ କ୍ୟାବିନେଟ୍; ଶହେ ଦିନର ଖସଡ଼ା ଉପରେ ହେବ ଆଲୋଚନା

Published By : Prameya-News7 Bureau | June 10, 2024 IST

ନୂଆଦିଲ୍ଲୀ ୧୦/୦୬:  ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ତୃତୀୟ ପାଳି ଆରମ୍ଭ । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବା ସହ ନିଜ ମନ୍ତ୍ରିମଣ୍ଡଳରେ ୭୧ ସାଂସଦଙ୍କୁ ମନ୍ତ୍ରୀ ଭାବେ ସାମିଲ କରିଛନ୍ତି । ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ପରେ ସରକାର ଆକ୍ସନ ମୁଡକୁ ଆସିଛନ୍ତି । ସୋମବାର ଅର୍ଥାତ୍ ଆଜି ଅପରାହ୍ନ ୫ଟାରେ ମୋଦି ୩.O ସରକାରର ପ୍ରଥମ କ୍ୟାବିନେଟ  ବୈଠକ ବସିବ । ପ୍ରତିଶ୍ରୁତି ମୁତାବକ ୧୦୦ ଦିନର କାର୍ଯ୍ୟ ଖସଡା ଉପରେ ଏହି ବୈଠକ ଡକାଯାଇଛି । ବୈଠକରେ ପ୍ରଧାନମନ୍ତ୍ରୀ ନୂଆ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେବେ । ଏଥିସହ ବିଭାଗ ବଣ୍ଟନ ନେଇ ମଧ୍ୟ ଆଲୋଚନା  ହେବାର ସମ୍ଭାବନା ରହିଛି । 

ମୋଦି ସରକାରଙ୍କ ତୃତୀୟ ପାଳିରେ ପ୍ରଥମ ୧୦୦ ଦିନର ଏଜେଣ୍ଡା ଉପରେ ଏବେ ସମସ୍ତଙ୍କ ନଜର ରହିବ । ସେଥିଲାଗି ଏକ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି । ରିପୋର୍ଟ  ଅନୁସାରେ, ୧୦୦ ଦିନିଆ ବ୍ଲୁ ପ୍ରିଣ୍ଟରେ ୫୦-୭୦ଟି  ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ଓ ପ୍ରସ୍ତାବକୁ ସ୍ଥାନିତ କରାଯାଇଛି ।  ପ୍ରାଥମିକତା ଭିତ୍ତିରେ ସେଗୁଡିକ କାର୍ଯ୍ୟକାରୀ ହେବ । ଲକ୍ଷ୍ୟଗୁଡ଼ିକୁ ୩ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ବିଭାଗରେ ଥିବା ଲକ୍ଷ୍ୟକୁ ପ୍ରଧାନମନ୍ତ୍ରୀ ଶପଥ ନେବାର  କିଛି ଦିନ ମଧ୍ୟରେ ଘୋଷଣା କରିବେ । ତାହା ସବୁଠାରୁ   ଗୁରୁତ୍ୱପୂର୍ଣ୍ଣ ଟାର୍ଗେଟ୍‌ ହେବ । ଦ୍ୱିତୀୟ ବିଭାଗରେ  ଥିବା ଲକ୍ଷ୍ୟଗୁଡ଼ିକୁ କେନ୍ଦ୍ରମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀମାନେ ନୂଆ ସରକାରର ପ୍ରଥମ କିଛି ଦିନ ମଧ୍ୟରେ ଘୋଷଣା କରିବେ । ତୃତୀୟ ବିଭାଗରେ ଥିବା ଲକ୍ଷ୍ୟଗୁଡିକୁ ଆସନ୍ତା ୨-୩ ବର୍ଷ ମଧ୍ୟରେ କାର୍ଯ୍ୟରେ ପରିଣତ କରାଯିବ ।  ତୃତୀୟ ପାଳିରେ ମୋଦି ସରକାର ଯୁବଶକ୍ତିକୁ ଆଗକୁ ନେବା ଲାଗି ଅନେକ ଯୋଜନା ବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.