ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍
30/03/2023 at 8:36 PM

ନୂଆଦିଲ୍ଲୀ: ଶକ୍ତିଶାଳୀ ହେବ ନୌସେନା। ଆତ୍ମନିର୍ଭର ଭାରତ ଅଭିଯାନରେ ନୌସେନା ପାଇଁ ୧୧ ନେକ୍ସଟ୍ ଜେନେରେସନର ଉପତଟୀୟ ପାଟ୍ରୋଲିଂ ନୌସେନା ଜାହାଜ(ଅଫ୍ସୋର ପାଟ୍ରୋଲ ଭାସେଲ୍) ଓ ୬ଟି ନେକ୍ସଟ୍ ଜେନେରେସନ ମିସାଇଲ୍ ଭାସେଲ୍ କିଣିବ ଭାରତୀୟ ନୌସେନା। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ଶିପ୍ୟାର୍ଡ ସହ ୧୯ ହଜାର କୋର୍ଟ ଡିଲ୍ କରିଛି।
ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି “ ଭାରତୀୟ (IDDM) ଶ୍ରେଣୀରେ ୧୧ଟି ଆଗାମୀ ପିଢ଼ିର ଉପତଟୀୟ ପାଟ୍ରୋଲିଂ ନୌସେନା ଜାହାଜ କିଣିବାକୁ ଗୋଆ ଶିପ୍ୟାର୍ଡ ଲିମିଟେଡ୍ (ଜିଏସ୍ଏଲ୍) ଓ କୋଲକାତାର ଗାର୍ଡେନ୍ ରିଚ୍ ଶିପ୍ବ୍ୟୁଲ୍ଡର ଆଣ୍ଡ ଇଞ୍ଜିନିୟର୍ସ(ଜିଆର୍ଏସ୍ଇ)ର ସହ ୯,୭୮୧ କୋଟିର ଚୁକ୍ତି ହୋଇଛି।”
ଭାରତୀୟ ଶୈଳୀରେ ନିର୍ମାଣ ହେବାକୁ ୧୧ ଶିପ୍ ମଧ୍ୟରୁ ଜିଏସ୍ଏଲ୍ରେ ୭ଟି ଓ ଜିଆର୍ଏସ୍ଇରେ ୪ଟି ଶିପ୍ ନିର୍ମାଣ ହେବ। ୨୦୨୬ ସେପ୍ଟେମ୍ବର ମାସ ସୁଧା ଜାହାଜଗୁଡ଼ିକୁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
ପ୍ରତିରକ୍ଷାମନ୍ତ୍ରାଳୟ ଆହୁରି କହିଛି “ କିଣାଯାଉଥିବା ନୂଆ ଜାହାଜଗୁଡ଼ିକ ଭାରତୀୟ ନୌସେନାର ଯୁଦ୍ଧ କ୍ଷମତାକୁ ବଢ଼ାଇବା ସହ ଭିଭିନ୍ନ ଅପରେସନ ଯଥା- ଅଣ୍ଟା ପାଇରେସି, କାଉଣ୍ଟର ଇନ୍ଫିଲ୍ଟରସେନ, ଆଣ୍ଟି ପୋଚିଂ, ଆଣ୍ଟି ଟ୍ରାଇଫିକିଂ,ଯୁଦ୍ଧରହିତ ଉଦ୍ଧାର ଅଭିଯାନ, ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ(ଏସ୍ଏଆର୍), ଉପତୟୀ ସମ୍ପଦର ସୁରକ୍ଷା ଆଦି କାମରେ ନିୟୋଜିତ ହେବ। ଏହି ଜାହାଜ ନିର୍ମାଣରେ ସାଢ଼େ ୭ ବର୍ଷ ପାଇଁ ୧୧୦ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ।”
ସେହିପରି ଆଗାମୀ ପିଢ଼ି ମିସାଇଲ ଭାସେଲ (NGMV) ପାଇଁ କୋଚିନ ଶିପ୍ୟାର୍ଡ ଲିମିଟେଡ୍(ସିଏସ୍ଏଲ୍) ସହ ୯,୮୦୫ କୋଟିର ଚୁକ୍ତି ହୋଇଛି। ୨୦୨୭ ମାର୍ଚ୍ଚରେ ମିସାଇଲ ଭାସେଲ୍ ନୌସେନାକୁ ମିଳିବ।
NGMV ଆକ୍ରାମକ କ୍ଷମତା ସମ୍ପନ୍ନ ଯୁଦ୍ଧାସ୍ତ୍ର ଖଚିତ ଜାହାଜ ହେବ। ଏଗୁଡ଼ିକ ଶତ୍ରୁର ଯୁଦ୍ଧ ଜାହାଜ,ବେଆଇନ ବ୍ୟାପାରୀ ଓ ଜଳସୀମା ଆକ୍ତିଆର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ। ଏହି ଜାହାଜଗୁଡ଼ିକ ନିର୍ମାଣରେ ଦେଶରେ ୯ ବର୍ଷ ପାଇଁ ୪୫ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ପ୍ରତିରକ୍ଷାମନ୍ତ୍ରାଳୟ କହିଛି।