ମୋବାଇଲ୍ ଗେମ୍ ‘ପବଜୀ’ ନିଶାରେ ପଡ଼ି ଛାତ୍ରୀ ହେଲେ ମାନସିକ ରୋଗୀ

Published By : Prameya-News7 Bureau | January 13, 2019 IST

ଜାମ୍ମୁ ୧୩/୧: ପ୍ଲେୟାର ଅଣ୍ଡର ବ୍ୟାଟଲ୍ ଗ୍ରାଉଣ୍ଡ (ପବଜୀ) ଗେମ୍ ଏବେ ଜାମ୍ମୁର ଜଣେ ଛାତ୍ରୀଙ୍କୁ ମାନସିକ ରୋଗୀରେ ପରିଣତ କରି ଦେଇଛି। ଦୁଇ ଦିନ ପୂର୍ବରୁ ଜଣେ ଫିଟନେସ୍ ପ୍ରଶିକ୍ଷକଙ୍କୁ ଅସୁସ୍ଥ କରିବା ପରେ ଏବେ ଏହି ଗେମ୍ ଜଣେ କଲେଜ  ଛାତ୍ରୀଙ୍କୁ କବଳିତ କରିଛି। ଛାତ୍ରୀଙ୍କ ପରିବାର ଲୋକେ ଛାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ଗାନ୍ଧୀ ନଗର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

 ୨୦ବର୍ଷ ବୟସ୍କା ଛାତ୍ରୀ ଗତ କିଛି ଦିନ ହେଲା ପବଜି ଗେମ୍ ଖେଳୁଥିଲେ। ତାଙ୍କୁ ତାଙ୍କ ପରିବାର ଲୋକେ ଯେତେବେଳେ ମାନସିକ ଅବସାଦଗ୍ରସ୍ତ ଥିବା ଦେଖିଥିଲେ ତୁରନ୍ତ ହସ୍ପିଟାଲ୍ ନେଇଯାଇଥିଲେ। ମାନସିକ ରୋଗ ବିଶେଷଜ୍ଞ ତାଙ୍କର ଯାଞ୍ଚ କରିଥିଲେ। ଛାତ୍ରୀ ଜଣକ କିଛି ଦିନ ହେବ ପବଜୀ ଗେମ୍ ଖେଲୁଥିଲେ ଏବଂ ଘଣ୍ଟା ଘଣ୍ଟା ଧରି ସେହି ଖେଳରେ ନିମଗ୍ନ ରହୁଥିଲେ। ଏଥିପାଇଁ ଡାକ୍ତର ମଧ୍ୟ ଏହି ଖେଳରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି।

ମାନସିକ ରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଆଜିକାଲି ଅଧିକାଂଶ ଯୁବକ ଯୁବତୀ ଇଣ୍ଟରନେଟ ଗେମ୍ ଖେଳିବାରେ ବ୍ୟସ୍ତ ରହୁଛନ୍ତି। ଏଥିରେ ମସ୍ତିଷ୍କ ଅତ୍ୟଧିକ ସକ୍ରିୟ ରହୁଥିବାରୁ ଏହା ମାନସିକ ରୂପରେ ଆଘାତ ଦେଇଥାଏ ଏବଂ ଅଧିକାଂଶ ସମୟ ମସ୍ତିଷ୍କ କାମ କରିବା ବନ୍ଦ କରି ଦେଇଥାଏ। ଇଣ୍ଟରନେଟ୍ ମଧ୍ୟ ଏକ ନିଶା ଭଳି ହୋଇଥାଏ। ଇଣ୍ଟରନେଟ୍ ଆସକ୍ତ ବ୍ୟକ୍ତିମାନେ ବେଳେବେଳେ ଶୋଇ ପାରିନଥାନ୍ତି ଏବଂ ଏହା ଧୀରେ ଧୀରେ ସେମାନଙ୍କୁ ମାନସିକ ରୋଗୀରେ ପରିଣତ କରି ଦେଇଥାଏ। ଆଜିକାଲି ୫ବର୍ଷର ଶିଶୁମାନେ ମଧ୍ୟ ଘଣ୍ଟା ଘଣ୍ଟା ଧରି ମୋବାଇଲରେ ଗେମ୍ ଖେଳୁଛନ୍ତି। ଏବଂ ସେମାନଙ୍କୁ ଫୋନ୍ ନ ମିଳିଲେ ରାଗି ଯାଉଛନ୍ତି। ଏପରି ପରିସ୍ଥିତିରେ ଅଭିଭାବକମାନେ ତାଙ୍କ ପିଲାଙ୍କୁ ମୋବାଇଲ୍ ଫୋନ୍ ଦେବା ଅନୁଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.