ସଚ୍ଚୋଟପଣିଆ: ସୁନା ମୁଦି, କାନଫୁଲ ,ଏଟିଏମ କାର୍ଡ ଓ ଟଙ୍କା ଥିବା ପର୍ସ ପାଇ ମୋ ବସ କର୍ମଚାରୀ ଫେରାଇଲେ ମହିଳାଙ୍କୁ
17/07/2019 at 5:59 PM

ଭୁବନେଶ୍ବର୧୭|୭: ଆଜିର ଏ ଦୁନିଁଆକୁ ସମସ୍ତେ ସ୍ବାର୍ଥପର କହୁଛନ୍ତି । କହୁଛନ୍ତି ସଚ୍ଚୋଟପଣିଆ ବୋଲି ଜିନିଷଟି ଯେମିତି ଆଉ କାହା ଭିତରେ ନାହିଁ । କିନ୍ତୁ ଆଜି ବି ବଞ୍ଚିଛି ମାନବିକତା, ଜଣେ ବସ କଣ୍ଡକ୍ଟର ଗହଣା ଓ ଟଙ୍କା ଭର୍ତ୍ତୀ ବ୍ୟାଗ ମହିଳାଙ୍କୁ ଫେରାଇବା ପରେ ତାହା ପୁଣି ପ୍ରମାଣିତ ହୋଇଛି ।ପଢନ୍ତୁ ଏହି ରିପୋର୍ଟ ।…
ଆଜିର ଏହି ସ୍ବାର୍ଥପର ଦୁନିଁଆରେ ଏବେ ବି ବଞ୍ଚିଛି ସଚ୍ଚୋଟ୍ଟପଣିଆ । ପୁଣି ଜଣେ ମୋ ବସ କଣ୍ଡକ୍ଟର ଓ ଡ୍ରାଇଭର ପାସେଞ୍ଜରଙ୍କୁ ଫେରାଇଛନ୍ତି ମୁଲ୍ୟବାନ ସାମଗ୍ରୀ । ମୋ ବସ ରୁଟ ନଂ୧୩ ରେ ପ୍ରତିଦିନ ଯାଉଥିବା ସୁଜାତା ନାଏକ ନାମକ ଯାତ୍ରୀ ତାଙ୍କର ପର୍ସଟି ବସରେ ଛାଡି ଦେଇଥିଲେ । ଯାହା ଭିତରେ ତିନୋଟି ସୁନା ମୁଦି, କାନଫୁଲ ,ଏଟିଏମ କାର୍ଡ ଓ ଭୋଟର ଆଇଡିସହ କିଛି ଟଙ୍କା ରହିଥିଲା । ।ତେବେ ବସର କଣ୍ଡକ୍ଟର ବିଜୟ ଗୁଲଯେଡା ଓ ଡ୍ରାଇଭର ପ୍ରସନ୍ନ କୁମାର ବାରିକ ଏହାକୁ ପାଇ ନିଜ ହେଡ ଅଫିସରେ ଏହାକୁ ପଇଠ କରିଥିଲେ । ଏହା ପରେ ସୁଜାତାଙ୍କୁ ଯୋଗାଯୋଗ କରିବା ପରେ ସେ କ୍ୟାପିଟାଲ ରିଜିଅନ୍ ଟ୍ରାନ୍ସପେ।ଟ ଅଫିସକୁ ଆସି ନିଜ ପର୍ସ ନେଇଛନ୍ତି । ଜିନିଷ ଫେରି ପାଇବାର ଆଶା ରଖିନଥିବା ବେଳେ ଏସବୁ ପାଇ ଖୁସି ବ୍ୟକ୍ତ କରିବା ସହ ବସ କର୍ମଚାରିଙ୍କ ପ୍ରସଂଶା ମଧ୍ୟ କରିଛନ୍ତି ସୁଜାତା ।
କିଛି ଦିନ ତଳେ ମୋ ବସ କର୍ମଚାରୀମାନେ ୫୦ହଜାର ଟଙ୍କା ପାଇବା ସହ ସପୃକ୍ତ ବ୍ୟକ୍ତିଙ୍କୁ ଫେରାଇଥିଲେ । ଯାତ୍ରୀଙ୍କ ସୁରକ୍ଷା କୁ ଗୁରୁତ୍ବ ଦେବା ଲାଗି ମୋ ବସ ଭିତରେ ସିସିଟିଭି ଲାଗିବା ସହ ଏହାର କର୍ମଚାରୀ ମାନଙ୍କୁ ମଧ୍ୟ ଦିଆଯାଉଛି ସ୍ବତନ୍ତ୍ର ତାଲିମ । ଯେଉଁଥିରେ କେବଳ ଗାଡି ଚଳାଇବାର ନିୟମ ନୁହେଁ ବରଂ ଯାତ୍ରୀଙ୍କ ସହ ଉତ୍ତମ ବ୍ୟବହାର ଓ ଲୋକଙ୍କ ସୁରକ୍ଷା ପ୍ରତି ଯେଭଳି ସଚେତନ ରହିବେ ସେ ପ୍ରତି ଧ୍ୟାନ ଦେବାକୁ ମଧ୍ୟ ସଚେତନ କରାଯାଉଛି । ତେଣୁ ଯାତ୍ରୀ ମାନଙ୍କୁ ମୋ ବସ୍ ର ସୁବିଧା ଉଠାଇବା ସହ ଏତିରେ ଅଧିକ ଯାତ୍ରା କରିବା ଲାଗି କହିଛନ୍ତି ଏହାର ଅଧିକାରୀ ।
ପ୍ରତିଦିନ ହଜାର ହଜାର ଯାତ୍ରୀ ଯାତ୍ରା କରୁଛନ୍ତି ମୋ ବସରେ । ତେବେ ଏଭଳି ଘଟଣା ସମାଜରେ ଉଦାହରଣ ସୃଷ୍ଟି କରିବା ସହ ଲୋକଙ୍କ ମଧ୍ୟରେ ବିଶ୍ବାସ ବଢାଇବା ସହ ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବ ନିଶ୍ଚିତ ।
