ବିଧାୟକ ହେବ ତ ଏମିତି, ବ୍ୟାଙ୍କରୁ ୫୦ ଲକ୍ଷ ଲୋନ୍ ନେଇ ଜମି କିଣିଲେ, ପରେ ହସ୍ପିଟାଲ ପାଇଁ ଦାନ କରିଦେଲେ

Published By : Prameya-News7 Bureau | July 05, 2024 IST

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁରରୁ ଏପରି ଏକ ଘଟଣା ସାମନାକୁ ଆସିଛି, ଯାହା ଜାଣିବା ପରେ ଜନତାଙ୍କୁ ନିଜର ବିଧାୟକ ଏବଂ ସାଂସଦଙ୍କ ଠାରୁ ଆଶା ବଢିବ । ଗରିବଙ୍କ ଦୁଃଖ ଅସୁବିଧା ସହି ନପାରି ସ୍ଥାନୀୟ ବିଧାୟକ ନିଜ ନାଁରେ ଲୋନ୍ ନେଇ ଜମି କିଣିଲେ ଏବଂ ପରେ ହସ୍ପିଟାଲ୍ କରିବା ପାଇଁ ସେହି ଜମିକୁ ଦାନ କରିଦେଲେ । ବଡ଼ କଥା ହେଉଛି ଏହି ଜମିର ମୂଲ୍ୟ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ପୂରା ୫୦ ଲକ୍ଷ ଟଙ୍କା । ବିଧାୟକ ଏହି ଋଣକୁ ନିଜ ବେତନରୁ ସୁଝିବା କଥା କହିଛନ୍ତି ।

ଏପରି କାମ କରି ଉଦାହରଣ ସୃଷ୍ଟି କରିଥିବା ବିଧାୟକ ହେଉଛନ୍ତି ସନ୍ତୋଷ ବରକଡେ । ସିହୋରା ବିଧାନସଭା ଆସନରୁ ସେ ବିଜେପି ବିଧାୟକ ଅଛନ୍ତି । ଏହି ମାମଲାର ସୂଚନା ଦେଇ ବରକଡେ କହିଛନ୍ତି ଯେ କୁଣ୍ଡମ ଅଞ୍ଚଳ ମୁଖ୍ୟତଃ ଆଦିବାସୀ ଅଞ୍ଚଳ, ଏଠାର ଜନସଂଖ୍ୟା ପ୍ରାୟ ୬୦ ହଜାର । ଏଠାକାର ଅଧିକାଂଶ ଲୋକ ଗରିବ, ଏପରିସ୍ଥଳେ ସ୍ୱାସ୍ଥ୍ୟ କେନ୍ଦ୍ର ନଥିବାରୁ ଲୋକମାନେ ବହୁ ଅସୁବିଧାର ସାମନା କରୁଛନ୍ତି । କୌଣସି ରୋଗ ହେଲେ ଜବଲପୁର ଯିବାକୁ ପଡ଼ୁଛି । ଚିକିତ୍ସା ନମିଳିବା ସ୍ଥଳେ ଲୋକଙ୍କ ଜୀବତ ପ୍ରତି ବିପଦ ମଧ୍ୟ ବଢୁଛି ।

ସନ୍ତୋଷ କହିଛନ୍ତି, 'ବିଧାୟକ ହେବା ପରେ ମୁଁ ଜାଣିବାକୁ ପାଇଥିଲେ ଯେ ଅଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଶି ସ୍ୱୀକୃତି ହୋଇଛି, କିନ୍ତୁ ଅଞ୍ଚଳରେ ଅଧିକାଂଶ ଜମି ଘରୋଇ ମାଲିକାନାରେ ଥିବା କାରଣରୁ ହସ୍ପିଟାଲ ପ୍ରତିଷ୍ଠା ପାଇଁ ସରକାରୀ ଜମି ମିଳି ପାରୁ ନଥିଲା । ଟଙ୍କା ଲାସ୍ପ ହେବାର ଭୟ ଥିଲା, ଯଦି ଥରେ ଟଙ୍କା ଫେରି ଯାଆନ୍ତା ତେବେ ପୁଣି ଥରେ ସ୍ୱୀକୃତି ମିଳିବା ମୁସ୍କିଲ ହୋଇଥାନ୍ତା । ଶେଷରେ ବିଚାର କରି ଏକ ଏକର ଜମି କିଣି ହସ୍ପିଟାଲ ପାଇଁ ଦାନ କରିଛି ।'

ଉଲ୍ଲେଖଯୋଗ୍ୟ ଯେ ସନ୍ତୋଷ ମଧ୍ୟବର୍ଗୀୟ ଚାଷୀ ପରିବାରରୁ ଆସନ୍ତି ଏବଂ ଚାଷ କାମ ଏବଂ ଛୋଟିଆ ଦୋକାନରୁ ତାଙ୍କ ପରିବାର ଚଳେ । ସେ ନିଜ ଦୁଇ ବଖରା ଘରେ ରହୁଛନ୍ତି, କିନ୍ତୁ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ବ୍ୟାଙ୍କ ଲୋନ୍ ନେଇ ୫୦ ଲକ୍ଷ ଟଙ୍କାର ଜମି କିଣି ଦାନ କରିବା ଘଟଣାକୁ ସମସ୍ତେ ପ୍ରଶଂସା କରୁଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.