ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ, ବୁଥ୍ ଭଙ୍ଗାରୁଜା ଅଭିଯୋଗରେ ହୋଇଥିଲେ ଗିରଫ

Published By : Prameya-News7 Bureau | June 07, 2024 IST

ଭୁବନେଶ୍ବର ୭।୬: ଖୋର୍ଦ୍ଧାର ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ । କୋର୍ଟ ପ୍ରଶାନ୍ତ ଜଗଦ୍ଦେବଙ୍କୁ ତିନି ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଶାନ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି । ପୁତୁରାଙ୍କ ଶୁଦ୍ଧିକ୍ରିୟା ପାଇଁ ପ୍ରଶାନ୍ତଙ୍କୁ ସର୍ତ୍ତ ମୂଳକ ଜାମିନ ମିଳିଛି । ସେ ୯, ୧୦, ୧୧ ତାରିଖ ୩ ଦିନ ପାଇଁ ଜାମିନରେ ଯିବେ । ତେବେ ଶୁଦ୍ଧିକ୍ରିୟା ସାରି କୋର୍ଟରେ ହାଜର ହେବେ ପ୍ରଶାନ୍ତ ଜଗଦ୍ଦେବ ।

ସୂଚନାଯୋଗ୍ୟ ଯେ, ଚଳିତ ସାଧାରଣ ନିର୍ବାଚନ ବେଳେ ବୋଲଗଡ ବ୍ଲକ କାଉଁରିପାଟଣା ୧୧୪ନଂ ବୁଥ୍‌ରେ ଇଭିଏମ୍ ଭଙ୍ଗାରୁଜା ନେଇ ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଗିରଫ କରି ଜେଲ୍ ପଠାଇଥିଲା । ପ୍ରଶାନ୍ତଙ୍କ ପକ୍ଷରୁ ହାଇକୋର୍ଟ ଓକିଲ ପୀତାମ୍ବର ଆଚାର୍ଯ୍ୟ ଏବଂ ସରକାରୀ ଓକିଲ ରଜନୀ ପଟ୍ଟନାୟକ ଯୁକ୍ତି ବାଢିଥିଲେ । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ତାଙ୍କ ଜାମିନ ଖାରଜ କରିଥିବା ସରକାରୀ ଓକିଲ ରଜନୀ ପଟ୍ଟନାୟକ କହିଥିଲେ ।

ପରେ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏସ୍‌ସିବି ମେଡିସିନ୍‌ ବିଭାଗ ନ୍ୟୁ ମେଡିସିନ୍‌  ୱାର୍ଡରେ ଚିକିତ୍ସାଧୀନ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟାବସ୍ଥାରେ   ଉନ୍ନତି ଆସିଛି । ତାଙ୍କ ଶରୀରରେ ଉଚ୍ଚ ରକ୍ତ ଶର୍କରା ପରିମାଣରେ ସୁଧାର ଆସିଛି । ଏଣ୍ଡୋକ୍ରାଇନୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଏସ୍‌.ଆର  ପଟ୍ଟନାୟକଙ୍କ ପରାମର୍ଶକ୍ରମେ ଇନ୍‌ସୁଲିନ୍‌ ଦ୍ୱାରା ରକ୍ତ ଶର୍କରା ପରିମାଣକୁ  ନିୟନ୍ତ୍ରଣ କରାଯାଇପାରିଛି ବୋଲି ବିଭାଗୀୟ ଡାକ୍ତର କହିଛନ୍ତି । ଅନ୍ୟପକ୍ଷରେ ବିଧାୟକ ଜଗଦ୍ଦେବଙ୍କର ବକ୍ଷ ଏବଂ ଅଣ୍ଟା ବିନ୍ଧା ସମସ୍ୟା ଥିବାର  ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । ଏଥିଲାଗି କାର୍ଡିଓଲୋଜି ବିଭାଗ ବିଶେଷଜ୍ଞ ଆସୋସିଏଟ୍‌ ପ୍ରଫେସର ଡାକ୍ତର ଦୀପକ ଦାସ ଏବଂ ନ୍ୟୁରୋସର୍ଜରୀ  ବିଭାଗର ବରିଷ୍ଠ ବିଶେଷଜ୍ଞ ତଥା ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ଡାକ୍ତର  ସୁଧାଂଶୁ ଶେଖର ମିଶ୍ର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି । ଚିକିତ୍ସା ଲାଗି  ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଗଠିତ ଡାକ୍ତରୀ ଟିମ୍‌ରେ  କାର୍ଡିଓଲୋଜି, ମେଡିସିନ୍‌ ଏବଂ ଏଣ୍ଡୋକ୍ରାଇନୋଲୋଜି ବିଭାଗ ବିଶେଷଜ୍ଞମାନେ  ନିୟମିତ ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରି ଅଧୀକ୍ଷକଙ୍କୁ ରିପୋର୍ଟ  ପ୍ରଦାନ କରୁଥିବାର ସୂଚନା ମିଳିଛି । ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ  ଉନ୍ନତି ଆସିଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଆଉ କିଛି ଦିନ ଡାକ୍ତରଖାନାରେ ରହିବେ ବୋଲି ପ୍ରଫେସର ପଣ୍ଡା କହିଥିଲେ । ଅନ୍ୟପକ୍ଷରେ  ବିଧାୟକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ବୁଝିବା ପାଇଁ ବିଜେପିର ବିଭିନ୍ନ ନେତୃବୃନ୍ଦ  ଏବଂ ଶୁଭେଚ୍ଛୁମାନେ ନ୍ୟୁ ମେଡିସିନ୍‌ ୱାର୍ଡରେ ପହଞ୍ଚିଥିବାର ଦେଖିବାକୁ ମିଳିଛି । 

You Can Read :

ଆସନ୍ତା ୧୨ ଜୁନ୍ରୁ ୩୦ ସେପ୍ଟେମ୍ବର ଯାଏଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.