ବିଧାୟିକା ପ୍ରମିଳା ମଲ୍ଲିକ କହିଲେ ପ୍ରଦୀପ ମହାରଥୀ ଯାତ୍ରାପାର୍ଟି ଲୋକ

Published By : Prameya-News7 Bureau | July 18, 2019 IST

ଭୁବନେଶ୍ବର ୧୮|୭: ବିଧାନସଭା ଗୃହରେ ବିଧାୟକ ପ୍ରଦୀପ ମହାରଥୀ ଏବଂ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁହାଁମୁହିଁ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ତଥା ବିଧାୟିକା ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି ଯେ, ସେ ଯାତ୍ରାପାଟି ଲୋକ, ଡାଇଲଗ୍ ମାରନ୍ତି । ସେ ଆଗରୁ ଏପରି ସବୁବେଳେ କୁହନ୍ତି । ପ୍ରମିଳା କହିଛନ୍ତି ବିଧାୟକ ପ୍ରଦୀପ ମହାରଥୀ କହୁଛନ୍ତି କାଲିଠାରୁ ସେ ଖାଇ ନାହାନ୍ତି । ସେ ଡାଇବେଟିସ୍ ରୋଗୀ, ନିଶ୍ଚୟ ଖାଇକି ଆସିଥିବେ ବୋଲି ପ୍ରମିଳା କହିଛନ୍ତି ।

ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗତକାଲି ବିଧାନସଭାରେ ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଆକ୍ଷେପ ପ୍ରସଙ୍ଗ ଆଜି ଗୃହର ଶୂନ୍ୟକାଳରେ ପୁଣି ଉଠିଥିଲା । ପ୍ରସଂଗ ଉଠାଇଥିଲେ ଖୋଦ୍ ପିଲିଲି ବିଧାୟକ ପ୍ରଦୀପ ମହାରଥୀ । ଆଳୁ ମିଶନ ଓ ଶିତଳଭଣ୍ଡାର ସମ୍ପର୍କରେ  ଗୃହରେ ଅର୍ଥମନ୍ତ୍ରୀ ଭୁଲ୍ ତଥ୍ୟ ଦେଇଛନ୍ତି ବୋଲି ପ୍ରଦୀପ ମହାରଥୀ କହିଥିଲେ । ମହାରଥୀ କହିଛନ୍ତି ଯେ, ‘ମୋ ଦକ୍ଷତା ଯୋଗୁଁ ମୁଁ ଅନେକ ଥର ମନ୍ତ୍ରୀ ହୋଇଛି । ମୋ ସମୟରେ ଶୀତଳ ଭଣ୍ଡାର ସଂଖ୍ୟା ୧୨୮ଟି ୪୮କୁ ଖସିଥିବା କଥା ଭୁଲ୍‌ । ବରଂ ଶୀତଳ ଭଣ୍ଡାର ସଂଖ୍ୟା ୨୪ରୁ ୪୮କୁ ବଢିଥିଲା । ମହାରଥୀ ଆହୁରି ମଧ୍ୟ କହିଥିଲେ ଯେ, ‘ମୋ ସମୟରେ ରାଜ୍ୟ ୪ ଥର କୃଷି କର୍ମଣ ପୁରସ୍କାର ପାଇଛି’ । କେହି ମହାରଥୀର ପାଟି ଚୁପ୍‌ କରାଇ ପାରିବେନି ବୋଲି ସେ ଆକ୍ରମଣାତ୍ମକ ଶୈଳୀରେ କହିଥିଲେ ।ନିରଞ୍ଜନ ପୂଜାରୀ ଗତକାଲି ଯେଉଁଭଳି ବ୍ୟବହାର ପ୍ରଦର୍ଶନ କଲେ ଗତ ୪୦ ବର୍ଷର କ୍ୟାରିୟର ଭିତରେ ଏଭଳି କେହି ବ୍ୟବହାର କରିନାହାନ୍ତି ବୋଲି ମହାରଥୀ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.