ନିର୍ବାଚନ ଜିତିଲେ ଅବିବାହିତ ଯୁବକଙ୍କ କରାଇବି ବିବାହ, ଏମିତି ପ୍ରତିଶ୍ରୁତି ଦେଲେ ବିଧାୟକ ପ୍ରାର୍ଥୀ

Published By : Prameya-News7 Bureau | November 07, 2024 IST

ମୁମ୍ବାଇ: ମଧ୍ୟ ମହାରାଷ୍ଟ୍ରର ମରାଠଓ୍ଵାଡ଼ା କ୍ଷେତ୍ରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଶରଦ ପାଓ୍ଵାରଙ୍କ ଏକ ପ୍ରାର୍ଥୀ ଏମିତି ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଛନ୍ତି ଯଦି ବିଧାନସଭା ନିର୍ବାଚନ ଜିତନ୍ତି ତେବେ ନିଜ ନିର୍ବାଚନ ମଣ୍ଡଳୀରେ ଅବିବାହିତ ଯୁବକଙ୍କ ବିବାହ କରାଇବେ। ବିଡ ଜିଲ୍ଲାର ପରଲି ଆସନରୁ ନିର୍ବାଚନ ଲଢୁଥିବା ରାଜେସାହେବ ଦେଶମୁଖ ଏହି ଅଭିନବ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି। 

ଦେଶମୁଖଙ୍କ ଏହି ବୟାନ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ପରଲି ଆସନରେ ଦେଶମୁଖଙ୍କ ମୁଖ୍ୟ ପ୍ରତିଦ୍ଵନ୍ଦ୍ଵୀ ହେଉଛନ୍ତି ରାଜ୍ୟର କୃଷି ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ, ଯିଏ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାରଙ୍କ ନେତୃତ୍ଵାଧୀନ ଏନସିପିର ନେତା।

ଦେଶମୁଖ କହିଛନ୍ତି, ଯଦି ମୁଁ ବିଧାୟକ ହୋଇଯାଏ ତେବେ ସମସ୍ତ ଅବିବାହିତ ଯୁବକଙ୍କ ବିବାହ କରାଇ ଦେବି। ଯୁବକଙ୍କୁ ରୋଜଗାର ଦେବୁ। ଲୋକେ ଅବିବାହିତ ଯୁବକଙ୍କୁ ପଚାରୁଛନ୍ତି ଯେ, ପୁଅ କିଛି ଚାକିରି କରୁଛି କି ନାହିଁ। ଯଦି ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ନିକଟରେ କୌଣସି ବ୍ୟବସ୍ଥା ନାହିଁ ତେବେ ଆପଣଙ୍କୁ କଣ ମିଳିବ। ମୁଣ୍ଡେ ନିଜର ନିର୍ବାଚନୀ ମଣ୍ଡଳରେ ଗୋଟିଏ ବି ଉଦ୍ୟୋଗ ଆଣି ପାରି ନାହାନ୍ତି। ଏଥିପାଇଁ ରୋଜଗାର ନ ମିଳିବା କାରଣରୁ ସ୍ଥାନୀୟ ଯୁବକଙ୍କ ବିବାହରେ ମୁସ୍କିଲ ହେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.