ଅଋଣାଚଳରେ ଏନଏସସିଏନ ଆତଙ୍କବାଦୀଙ୍କ ବର୍ବର କାଣ୍ଡ, ଏନପିପି ବିଧାୟକ ତିରୋଙ୍ଗ ଅବୋଙ୍କ ସମେତ ୧୧ ଜଣଙ୍କୁ ହତ୍ୟା
21/05/2019 at 7:09 PM

ଗୌହାଟୀ ୨୧।୫: ଅଋଣାଚଳ ପ୍ରଦେଶ ତିରାପ ଜିଲ୍ଲାରେ ଆତଙ୍କବାଦୀମାନେ ନ୍ୟାସନାଲ ପିପୁଲ୍ସ ପାର୍ଟି ଏନପିପି ବିଧାୟକ ତିରୋଙ୍ଗ ଅବୋଙ୍କ ସମେତ ୧୧ ଜଣଙ୍କୁ ହତ୍ୟା କରିଛନ୍ତି। ମେଘାଳୟ ମୁଖ୍ୟମନ୍ତ୍ରୀ କେ.ସଙ୍ଗମାଙ୍କ ପାର୍ଟିର ବିଧାୟକ ଥିଲେ ତିରୋଙ୍ଗ । ମଙ୍ଗଳବାର ତିରୋଙ୍ଗ ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ବେଳେ ଏନ୍ଏସ୍ ସିଏନ ଆତଙ୍କାବାଦୀମାନେ ଏହି କାଣ୍ଡ କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଏହି ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ତିରୋଙ୍ଗଙ୍କ ପୁଅ ମଧ୍ୟ ପ୍ରାଣ ହରାଇଛନ୍ତି।

ପୋଲିସ ସୂଚନା ଅନୁସାରେ ବିଧାୟକ ତିରୋଙ୍ଗ ଆବୋଙ୍କ କାରକେଡରେ ୩ଟି ଗାଡି ଯାଉଥିଲା। ଆଗରେ ଯାଉଥିବା ଗାଡିକୁ ତାଙ୍କ ପୁଅ ଚଳାଉଥିଲେ। ଆତଙ୍କବାଦୀମାନେ ତିରୋଙ୍ଗଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଆଗରୁ ଜାଣିଥିଲେ। ଏଣୁ ରାସ୍ତାରେ ତାଙ୍କୁ ଜଗି ରହିଥିଲେ। ପ୍ରଥମ ଗାଡିକୁ ଅଟକାଇ ସେମାନେ ଅନ୍ଧାଦୁନିଆ ଗୁଳିମାଡ କରିଥିଲେ। ଫଳରେ ଗାଡିରେ ଥିବା ଲୋକଙ୍କ ସମେତ ତିରୋଙ୍ଗଙ୍କ ପୁଅଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଦେଖୁଦେଖୁ ଆତଙ୍କବାଦୀ ଚାରିପଟୁ ଘେରିଯାଇ ଅନ୍ୟ ଗାଡି ଗୁଡିକ ଉପରେ ଧୂଆଁଧାର ଗୁଳିମାଡ କରିଥିଲେ।

ତିରୋଙ୍ଗଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ଏନଏସସିଏନ ଆତଙ୍କବାଦୀ ଧମକ ଦେଇଥିଲେ। ତେବେ ତାଙ୍କ ପୂର୍ବରୁ ଆତଙ୍କବାଦୀମାନେ ଏନପିପି ଓ ବିଜେପିର ସ୍ଥାନୀୟ ନେତାମାନଙ୍କୁ ମଧ୍ୟ ହତ୍ୟା କରିଥିବା ପୋଲିସ କହିଛି । ଅଞ୍ଚଳକୁ ଆସାମ ରାଇଫଲ୍ସ ଜବାନମାନେ ଘେରାଉ କରି ସର୍ଚ୍ଚ ଅପରେସନ ଚଳାଇଛନ୍ତି।