ବିଦେଶ ଯାତ୍ରା କରି ଭାରତ ଫେରିଲେ ଏମଜେ ଆକବର : ଅଭିଯୋଗ ଶୁଣି କହିଲେ ପରେ ଦେବେ ବୟାନ୍
14/10/2018 at 3:31 PM

ନୂଆ ଦିଲ୍ଲୀ ୧୪/୧୦: ମି ଟୁ ଅଭିଯାନରେ ବିଦେଶ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ଏମଜେ ଆକବରଙ୍କ ଉପରେ ଲାଗିଥିବା ଯୈାନ ଉତ୍ପୀଡ଼ନର ଅଭିଯୋଗ ଦିନକୁ ଦିନ ଜୋର ଧରୁଛି। ଆକବର ଗତ ରବିବାର ବିଦେଶ ଯାତ୍ରା ଶେଷ କରି ଦିଲ୍ଲୀ ପହଞ୍ଚିଛନ୍ତି। ସେ ବିମାନ ବନ୍ଦ ପହଞ୍ଚିବା କ୍ଷଣି ସାମ୍ବାଦିକମାନେ ତାଙ୍କୁ ଘେରି ଯାଇଥିଲେ। ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ ଯେ ଏହି ମାମଲାରେ ସେ ପରେ ବୟାନ୍ ଦେବେ। ଏହା ଛଡ଼ା ସେ ସାମ୍ବାଦିକଙ୍କ କୈାଣସି ପ୍ରଶ୍ନର ଉତ୍ତର ଦେଇନଥିଲେ।
ମି ଟୁ ଅଭିଯାନ ଦ୍ବାରା ପ୍ରତିଦିନ ନୂଆ ନୂଆ ଘଟଣା ସାମନାକୁ ଆସିବା ସହ ଏମଜେ ଆକବରଙ୍କ ଗାଦି ଛାଡ଼ିବାର ପ୍ରସ୍ତାବ ରଖାଯାଇଛି। ବିରୋଧୀମାନେ ମଧ୍ୟ ଏହି ମାମଲାରେ ସରକାରଙ୍କ ପ୍ରତି ଆକ୍ରମଣାତ୍ମକ ହୋଇଛନ୍ତି। ଅପର ପକ୍ଷରେ କେତେକ ମହିଳା ସଙ୍ଗଠନ ଆକବରଙ୍କୁ ପଦଚ୍ୟୁତ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରିଛନ୍ତି। ମି ଟୁ ସହ ଜଡ଼ିତ ସମସ୍ତ ମାମଲାର ଯାଞ୍ଚ ନିମନ୍ତେ କେନ୍ଦ୍ରୀୟ ମହିଳା ସଙ୍ଗଠନ ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ଏକ କମିଟି ଗଠନ କରିବାର ନିଷ୍ପତ୍ତି ନେଇଛନ୍ତି। ଏହି କମିଟିରେ ଅବସରପ୍ରାପ୍ତ ବିଚାରପତି ଏବଂ ଆଇନ୍ ବିଶେଷଜ୍ଞ ସଦସ୍ୟମାନେ ସାମିଲ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଏବେ ପର୍ଯ୍ୟନ୍ତ ୧୦ଜଣ ମହିଳା ସାମ୍ବାଦିକମାନେ ଏମଜେ ଆକବରଙ୍କ ଉପରେ ଯୈାନ ଉତ୍ପୀଡ଼ନର ଅଭିଯୋଗ କରିସାରିଛନ୍ତି।