‘ଭୁଲ୍ ତ ହୋଇଛି...’ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ଦେଶକୁ ଋଷି ସୁନକଙ୍କ ପ୍ରଥମ ସମ୍ବୋଧନ

Published By : Prameya-News7 Bureau | October 25, 2022 IST

ନୂଆଦିଲ୍ଲୀ: ଦେଶକୁ ଏକଜୁଟ୍ କରିବି ଏବଂ ଜନତାଙ୍କ ଭରସା ଜିତିବି। ଭରସା କମାଯାଏ, କିନ୍ତୁ ମୁଁ ଏହାକୁ ହାସଲ କରିବି। ମୁଁ ଚ୍ୟାଲେଞ୍ଜର ସାମ୍ନା କରିବି, ଯାହା ବର୍ତ୍ତମାନ ଦେଶ ସାମ୍ନାରେ ରହିଛି। ତେଣୁ ଜନତା ମୁସ୍କିଲ ନିଷ୍ପତ୍ତି  ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି କହିଛନ୍ତି ବ୍ରିଟେନର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ। ଏହା ପୂର୍ବରୁ ୪୨ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବକିଂହାମ ପ୍ୟାଲେସ୍ ପହଞ୍ଚି କିଙ୍ଗ ଚାର୍ଲ୍ସଙ୍କୁ ଭେଟିଛନ୍ତି। ଏହା ପରେ କିଙ୍ଗ ଚାର୍ଲ୍ସ ସୁନକଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ବକିଂହାମ ପ୍ୟାଲେସରୁ ସୁନକ ୧୦ ଡାଉନିଂ ଷ୍ଟ୍ରିଟ୍ ପହଞ୍ଚିଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ଭାବେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।

ସୁନକ ନିଜର ପ୍ରଥମ ସମ୍ବୋଧନରେ କହିଛନ୍ତି, ଆମ ଦେଶ ଗମ୍ଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ସ୍ଥିତିରୁ ମୁକୁଳିବା ପାଇଁ ମୁସ୍କିଲ ନିଷ୍ପତ୍ତି ନେବାକୁ ପଡିବ। ୟୁକ୍ରେନ ଏବଂ ରୁଷ ଯୁଦ୍ଧ ସମଗ୍ର ଦୁନିଆର ବଜାରକୁ ଅସ୍ଥିର କରି ଦେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ ଦେଶର ଆର୍ଥିକ ସ୍ଥିତି ସୁଧାରିବା ଦିଗରେ କାମ କରିବା କିଛି ଭୁଲ୍ ନଥିଲା।  ମୁଁ ତାଙ୍କର ପ୍ରଶଂସା କରୁଛି। ମାତ୍ର ସେଥିରେ କିଛି ତ୍ରୁଟି ରହିଥିଲା। ଉଦ୍ଦେଶ୍ୟ ଖରାପନଥିଲା, ତଥାପି ଟ୍ରସଙ୍କ ନିଷ୍ପତ୍ତି ଭୁଲ୍ ଥିଲା ବୋଲି ବ୍ରିଟେନର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ କହିଛନ୍ତି।

ସେ କହିଛନ୍ତି, ଆମ ଦେଶ କରୋନା ସଙ୍କଟ ପରେ ଗୁରୁତର ଆର୍ଥିକ ସ୍ଥିତିର ସମ୍ମୁଖୀନ ହେଉଛି। ଆଉ ରୁଷ ଏବଂ ୟୁକ୍ରେନ ଲଢେଇ ସ୍ଥିତିକୁ ଆହୁରି ସଙ୍ଗୀନ କରି ଦେଇଛି। ତେଣୁ ଦେଶବାସୀ କଠିନ ନିଷ୍ପତ୍ତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ। ଏହି ସରକାର ସବୁ ସ୍ତରରେ ସ୍ଥିତିର ସୁଧାର ପାଇଁ କାମ କରିବେ। ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ନିକଟରେ କୃତଜ୍ଞ। ସେ ନିଜର କାର୍ଯ୍ୟକାଳରେ ଅଦ୍ଭୁତପୂର୍ଣ୍ଣ ସଫଳତା ହାସଲ କରିଛନ୍ତି।

ଉଲ୍ଲେଖନୀୟ ବ୍ରିଟେନର ୨୧୦ ବର୍ଷର ଇତିହାସରେ ଋଷି ସୁନକ ଦେଶର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ ରହିବେ। କଞ୍ଜରଭେଟିଭ୍ ପାର୍ଟିର ନେତାଙ୍କୁ ସମ୍ବୋଧିତ କରି ସୁନକ କହିଛନ୍ତି, ପ୍ରଧାନମନ୍ତ୍ରୀ ହୋଇଥିବାରୁ ନିଜକୁ ଗୌରବାନ୍ଵିତ ମନେ କରୁଛି। ବ୍ରିଟେନରେ ରହି ଯାହା କିଛି ହାସଲ କରିଛି, ତାକୁ ଫେରାଇବାର ମୋ ପାଇଁ ଏହା ଉପଯୁକ୍ତ ସମୟ। ସେ ମାନିଛନ୍ତି ଯେ, ବ୍ରିଟେନ ଅନେକ ଆହ୍ଵାନ ଦେଇ ଗତି କରୁଛି। ପାର୍ଟିର ନିର୍ବାଚନୀ ଇସ୍ତାହାରରେ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଛି, ସେ ସବୁ ପୂରଣ କରିବାକୁ ପ୍ରୟାସ କରିବୁ ବୋଲି ଋଷି ସୁନକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.