ପଟୌଦିଙ୍କ ରେକର୍ଡ ଉପରେ ବିରାଟଙ୍କ ନଜର, ରିପିଟ୍ ହେବ ୱେଲିଂଟନ୍ରେ ୫୨ ବର୍ଷ ତଳର ରେଜଲ୍ଟ !
19/02/2020 at 6:53 PM

ୱେଲିଂଟନ୍ ୧୯।୦୨- ଆସନ୍ତା ୨୧ ତାରିଖରେ ଆରମ୍ଭ ହେବ ଭାରତ- ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ । ପ୍ରଥମ ମ୍ୟାଚ୍ ୱେଲିଂଟନ୍ର ବେସିନ ରିଜର୍ଭ ଗ୍ରାଉଣ୍ଡରେ ଖେଳାଯିବ । ଦିନିକିଆ ସିରିଜ୍ରେ ପୁରା ଚିତପଟାଙ୍ଗ ମାରିଥିବା ଭାରତୀୟ ଦଳ ଘରୋଇ ଟିମ୍କୁ ଟେଷ୍ଟରେ କଡା ଜବାବ ଦେବାକୁ ପ୍ରସ୍ତୁତି କରିଛି । ପେସ୍ ଆଟାକ୍ରେ ପରିବର୍ତ୍ତନ ସହ ଟେଷ୍ଟ ସିରିଜ୍ରେ ୱାନ୍ଡେ

ସିରିଜ୍ର ବଦ୍ଲା ନେବାକୁ ଆଶା ବାନ୍ଧିଛି ଭାରତୀୟ ଦଳ । ଆଉ ଏପରି ଆଶା ରଖିବାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଲାଗି ଏକ ମାତ୍ର ସକରାତ୍ମକ ଉଦାହରଣ ପୂର୍ବତନ ଭାରତୀୟ କ୍ରିକେଟର ମନସୁର ଅଲ୍ଲୀ ଖାନ୍ ପଟୌଦି । ୱେଲିଂଟନ୍ରେ ଭାରତର ରେକର୍ଡ ଭଲ ନାହିଁ । କିନ୍ତୁ ପଟୌଦିଙ୍କ ଉଦାହରଣ ବିରାଟଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ । ତେବେ ପ୍ରଶ୍ନ ଉଠେ ୱେଲିଙ୍ଗଟନ୍ ସହ ପଟୌଦିଙ୍କ ଲିଙ୍କ୍ କ’ଣ , କାହିଁକି ? ତେବେ ସେସବୁକୁ ଯିବା ପୂର୍ବରୁ ଏହା କିନ୍ତୁ ସତ ଯେ, ପଟୌଦିଙ୍କ ରେକର୍ଡ ଉପରେ ଏବେ ବିରାଟଙ୍କ ନଜର ।

ପଟୌଦିଙ୍କ ରେକର୍ଡ କ’ଣ ? ତାହା ୫୨ ବର୍ଷ ତଳର କଥା । ୧୯୬୮ ର ରେକର୍ଡ । ୱେଲିଂଟନ୍ରେ ଭାରତ ଖେଳିଛି ମୋଟ ୭ ଟି ଟେଷ୍ଟ ମ୍ୟାଚ୍ କିନ୍ତୁ ଜିତିଛି ମାତ୍ର ଗୋଟିଏ । ତାହା ୧୯୬୮ର ମ୍ୟାଚ୍ ଏବଂ ଶେଷ ଥର ଲାଗି ତାହା ଜିତିଥିଲା ଭାରତୀୟ ଦଳ । ମନସୁର ଅଲ୍ଲୀ ଖାନ ପଟୌଦିଙ୍କ ଅଧିନାୟକତ୍ବରେ ତତ୍କାଳୀନ ଭାରତୀୟ ଦଳ ସେତେବେଳେ ନ୍ୟୁଜିଲାଣ୍ଡକୁ ହରାଇଥିଲା । ପ୍ରାୟ ୬ ଦଶନ୍ଧି ତଳେ ଭାରତ ନ୍ୟୁଜିଲାଣ୍ଡ ମାଟିରେ ଲେଖିଥିଲା ଏକ ଅବିସ୍ମରଣୀୟ ରେକର୍ଡ । ପଟୌଦିଙ୍କ ନେତୃତ୍ବାଧିନ ଭାରତୀୟ ଦଳ ୪ ଟି ଟେଷ୍ଟ ମ୍ୟାଚ୍ରୁ ୩ ଟି ଜିତି ସିରିଜ ବିଜୟ ହାସଲ କରିଥିଲେ । ତେବେ ୱେଲିଙ୍ଗଟନ୍ରେ କିନ୍ତୁ ତାହା ଏବେ ସୁଦ୍ଧା ଭାରତର ଶେଷ ବିଜୟ ହୋଇ ରହିଛି । ଯାହାକୁ କି ରିପିଟ କରିବା ଟାର୍ଗେଟ୍ରେ ଅଛନ୍ତି ବିରାଟ କୋହଲି । ଟି-ଟ୍ବେଣ୍ଟି ସିରିଜର ବିଜୟକୁ ଟେଷ୍ଟ ସିରିଜ୍ରେ ରିପିଟ କରିବା ଲକ୍ଷ୍ୟରେ ଅଛନ୍ତି ସେ ।

ନ୍ୟୁଜିଲାଣ୍ଡରେ ଭାରତର ମୋଟାମୋଟି ରେକର୍ଡ କିନ୍ତୁ ନୈରାଶ୍ୟ ଜନକ । ନ୍ୟୁଜିଲାଣ୍ଡ ମାଟିରେ ଭାରତ ୨୩ ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ମାତ୍ର ୫ ଟି ବିଜୟୀ ହୋଇଛି । ୮ ଟି ପରାଜିତ ହୋଇଛି ଆଉ ୧୦ ଟି ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। କିନ୍ତୁ ୧୯୬୮ ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡରେ ୩ ଟି ଟେଷ୍ଟ ମ୍ୟାଚ୍ ଜିତି ୪-୧ ରେ ସିରିଜ ବିଜୟ ହାସଲ କରିଥିଲା । ଏବେ ୫୨ ବର୍ଷ ତଳର ପଟୌଦିଙ୍କ ୱେଲିଂଟନ ବିଜୟକୁ ଦୋହରାଇବା ଟାର୍ଗେଟ୍ରେ ବିରାଟ କୋହଲି ।

ଟେଷ୍ଟ ମ୍ୟାଚ୍ରେ ଘରୋଇ ଦଳ ବିରୋଧରେ ଜୋରଦାର ପ୍ରଦର୍ଶନ ନେଇ ବିରାଟ କୋହଲି ଆଶାବାଦୀ । ନ୍ୟୁଜିଲାଣ୍ଡରେ ଦୁର୍ବଳ ରେକର୍ଡ ସତ୍ତ୍ବେ ପଜିଟିଭ ଅଛନ୍ତି ଭାରତୀୟ ଅଧିନାୟକ । ତାଙ୍କ ମତରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡରେ ଜିତିବାର ଅଧିକ ଦକ୍ଷତା ରଖିଛି । ଦଳ ପୂର୍ବ ଟିମ୍ ଅପୋକ୍ଷା ଶକ୍ତିଶାଳୀ ଏବଂ ଦଳର ମନୋଭାବ ବି ଦୃଢ ଅଛି । କୋହଲି କହିଛନ୍ତି, “ ଆମେ ଏପରି ଭାବେ ପ୍ରସ୍ତୁତି କରିଛୁ ଯେ, ଆମ ମନୋବଳ ବେଶ୍ ଦୃଢ ରହିଛି , ଆମର ଫିଟନେସ୍ ଏବଂ ଏକାଗ୍ରତା ସ୍ତର ବି ବେଶ୍ ଅଧିକ ରହିଛି ଏବଂ ଆମେ ବିଶ୍ବର ଯେ କୌଣସି ଦଳକୁ ଟକ୍କର ଦେଇପାରିବୁ ।“ ସେ ଆହୁରି ବି କହିଛନ୍ତି ଯେ, ଭାରତୀୟ ଦଳର ଆତ୍ମବିଶ୍ବାସ ବେଶ ଦୃଢ ରହିଛି ଏବଂ ସିରିଜ୍ରେ ତାହାକୁ ଦଳ ଜାରି ରଖିବ । ଏହା ସହ ବାରତୀୟ ଦଳ ଏବେ ପୁରା ସନ୍ତୁଳିତ ତଥା ସଂପୂର୍ଣ୍ଣ । ତେଣୁ ଟେଷ୍ଟ ସିରିଜ୍ରେ ଦଳ ସଫଳ ପ୍ରଦର୍ଶନ କରିବ ।