ଭୁବନେଶ୍ୱରରେ ଲୋକାର୍ପିତ ହେଲା ମିଶନଶକ୍ତି ବଜାର, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | February 27, 2024 IST

ଭୁବନେଶ୍ବର: ଏଣିକି ଘରେ ଘରେ ପହଞ୍ଚିବ ମିଶନ ଶକ୍ତି ମହିଳାଙ୍କ ଦ୍ବାରା ଉତ୍ପାଦ ସାମଗ୍ରୀ । ଗ୍ରାହକଙ୍କୁ ମିଳିବ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ କିଣିବା ସୁବିଧା । ସ୍ଥାୟୀ ବଜାର ସୁବିଧା ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି ମିଶନ ଶକ୍ତି ବଜାର । ବର୍ଷତମାମ ମୌଳିକ ଉତ୍ପାଦ ଯୋଗାଇବ ମିଶନ ଶକ୍ତି ବଜାର ।

ଭୁବନେଶ୍ବର ଡେଲଟା ଛକ ଏବଂ କିଛି ଜିଲ୍ଲାରେ ଖୋଲିଛି ମିଶନଶକ୍ତି ବଜାର । ଭୁବନେଶ୍ବରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମୌଳିକ ଉତ୍ପାଦ ବିକ୍ରିବଟା ପାଇଁ ମିଶନ ଶକ୍ତି ବିଭାଗ ୧୦ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମାଣ ହୋଇଛି ଏହି ବଜାର । ମିଶନଶକ୍ତି ବଜାରର ପରିଚାଳନା ଦାୟିତ୍ବ ପାଇଛି ଖୋର୍ଦ୍ଧା ମାତୃଶକ୍ତି ଫାର୍ମର୍ସ ପ୍ରଡ୍ୟୁସ୍ କମ୍ପାନୀ ଲିମିଟେଡ୍- KMFPCL । ଲୋକଙ୍କ ପାଇଁ ଏହି ବଜାର ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲାରହିବ ।

ଏହି ବଜାରରେ ଲୋକେ ଝାଡ଼ୁ ଠାରୁ ପାଟଶାଢ଼ୀ, ବେତ ସୋଫା, ସବାଇ ଘାସରେ ନିର୍ମିତ ସାମଗ୍ରୀ , ମାଟି ବାସନ, ଡୋକରା ସାମଗ୍ରୀ, ଘରକରଣା ଜିନିଷ, ମିଲେଟ୍ସ୍ ଉତ୍ପାଦ, ପଟ୍ଟଚିତ୍ର, ପେଣ୍ଟିଂ, କନ୍ଧମାଳ ହଳଦି, ମାଣ୍ଡିଆ, କୋରାପୁଟ କପି, ମହୁ , ସମେତ ପ୍ରାୟ ପ୍ରାୟ ୨୮ ପ୍ରକାର ଉତ୍ପାଦ କିଣିବାର ସୁବିଧା ପାଇବେ। ୩୦ ଜିଲ୍ଲାରେ ମାଆମାନେ ପ୍ରସ୍ତୁତ କରୁଥିବା ହାତ ତିଆରି ସାମଗ୍ରୀ ଏହି ବଜାରରେ ୩୬୫ ଦିନ ମିଳିବ । ଏବେ ବଜାର ସୁବିଧା ଦେଇ ମାଆଙ୍କ ଉତ୍ପାଦ କିପରି ବିଦେଶରେ ପହଞ୍ଚି ପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଏହି ବଳିଷ୍ଠ ପଦକ୍ଷେପ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.