ଜବରଦଖଲକାରୀଙ୍କ କବ୍‌ଜାର ଜନପଥ, ସର୍ଭିସରୋଡ଼କୁ ମାଡିବସିଛନ୍ତି ଦୋକାନୀ

Published By : Prameya-News7 Bureau | August 26, 2021 IST

ଭୁବନେଶ୍ୱର ୨୬।୦୮ : ଜବରଦଖଲକାରୀମାନେ କବ୍‌ଜାରେ ଶିଶୁଭବନରୁ ବାଣୀବିହାର ସ୍ମାର୍ଟ ଜନପଥ । ଯେତେ ସ୍ମାର୍ଟ କରିବାକୁ ଚାହିଁଲେ ବି ଜବରଦଖଲର ଜାଲରୁ ମୁକୁଳି ପାରୁନି ସ୍ନାଟ ସିଟି । ଦିନକୁ ଦିନ ବଢିଚାଲିଛି ବେଆଇନ ଦୋକାନ ସଂଖ୍ୟା । ବାପୁଜୀନଗରରେ ଫୁଟ୍‌ପାଥକୁ ଲାଗିଥିବା ସର୍ଭିସ୍‌ ରୋଡ୍‌କୁ ବି ମାଡ଼ି ବସିଛନ୍ତି ଦୋକାନୀ। ରାଜମହଲରୁ ରୂପାଲି ଛକ ଯାଏ ଫୁଟପାଥ୍‌ ଓ ସାଇକେଲ ଟ୍ରାକ୍‌ରେ ବେଧଡ଼କ ପସରା ମେଲାଉଛନ୍ତି ।

ବାପୁଜୀନଗରରେ ଫୁଟପାଥ୍‌କୁ ଲାଗି ଦୋକାନ କଡ଼ରେ ଏକ ସର୍ଭିସ୍‌ ରୋଡ୍‌ ଅଛି । ପଥଚାରୀମାନେ ମୁଖ୍ୟ ରୋଡ୍‌ରୁ ସୁବିଧାରେ ପାଖ ଦୋକାନକୁ ଯିବା ପାଇଁ ଏହି ବ୍ୟବସ୍ଥା ହୋଇଛି । କିନ୍ତୁ ସେଠାରେ ଥିବା ଅନେକ ଫର୍ଣ୍ଣିଚର, ଇଲେକ୍ଟ୍ରୋନିକ୍ସ ଓ ପ୍ଲାଷ୍ଟିକ ସାମଗ୍ରୀ ବିକ୍ରି ଦୋକାନ ସର୍ଭିସ୍‌ ରୋଡ୍‌କୁ ନିଜ ଦୋକାନରେ ମିଶାଇ ସାରିଲେଣି । ଏହି ରୋଡ୍‌ରେ କିଏ ପ୍ଲାଷ୍ଟିକ ଚେୟାର ରଖିଲେଣି ତ’ ଆଉ କିଏ ମ୍ୟାଟ୍ରେସ୍‌, ଟିଭି, ଫ୍ରିଜ୍‌ ଓ ଅନ୍ୟ ସାମଗ୍ରୀ ରଖି ପ୍ରଦର୍ଶିତ କରୁଛନ୍ତି । ଏମିତି ନୁହେଁ କି ଏହି ସାମଗ୍ରୀ ଅସ୍ଥାୟୀ ଭାବେ ଏଇଠି ରଖାହେଉଛି । ଦୋକାନ ବନ୍ଦ ପରେ ବି ସେମିତି ସର୍ଭିସ୍‌ ରୋଡ୍‌ରେ କିଛି ସାମଗ୍ରୀ ଚେନ୍‌ରେ ଫୁଟପାଥ ପାଖ ବ୍ୟାରିକେଡ୍‌ ସହ ବାନ୍ଧି ରଖୁଛନ୍ତି । ଫଳରେ ଲୋକେ ଗାଡ଼ି ପାର୍କିଂ ପାଇଁ ନାକେଦମ୍‌ ହେଉଛନ୍ତି । କିନ୍ତୁ ଏହି ବଡ ଦୋକାନୀଙ୍କୁ କେବେ ଫାଇନ୍‌ ପଡେନି ।ଜବରଦଖଲ ପାଇଁ ଠେଲା ଦୋକାନୀଙ୍କଠାରୁ ଫାଇନ୍‌ ଆଦାୟ ହେଉଥିଲେ ବି ଏମାନଙ୍କୁ ମାଫ୍‌ ।

ସେହିଭଳି ରାଜମହଲ ଛକରୁ ଏଜି ରାସ୍ତା ପାର୍‌ ହେବା ଆଜିଯାଏ ଗଲାନି । ଏହି ରାସ୍ତାରେ ଖାଲି ଫୁଟପାଥ୍‌ ନୁହେଁ, ରାସ୍ତାର ଦୁଇଟି ଲେନ୍‌କୁ ଉଠାଦୋକାନୀ ସ୍ଥାୟୀ ଭାବେ ମାଡି ବସିଛନ୍ତି । କିନ୍ତୁ ଏହା କାହିଁକି ହଟୁନି ତାହା ରହସ୍ୟଜନକ । ବିଏମ୍‌ସି, ବିଡିଏ ଓ ପୁଲିସ ସହ ଉଠାଦୋକାନୀଙ୍କ କେଉଁ କାରବାର ରହିଛି ଓ କାହିଁକି ରାସ୍ତା ଜବରଦଖଲମୁକ୍ତ ହେଉନି ତାହା ଆଜିଯାଏ ବୁଝାପଡୁନି ।

ପ୍ରତିଦିନ ଏହି ଅଞ୍ଚଳକୁ ବିଏମ୍‌ସି ଏନଫୋର୍ସମେଣ୍ଟ ଟିମ୍‌ ଆସି ଯାଞ୍ଚ କରୁଛି । ଜରିମାନା କାଟୁଛି ।କିନ୍ତୁ ଜବରଦଖଲ ହଟୁନି । ଜନପଥରେ ଜବରଦଖଲକୁ ନେଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିଃ(ବିଏସ୍‌ସିଏଲ୍‌) ହଠାତ୍‌ ଚେଇଁ ଉଠିଛନ୍ତି । ଦୁଇ ବର୍ଷେ ତଳେ ଏହି ରାସ୍ତାରୁ ଦୈନିକ ଜବରଦଖଲ ଉଚ୍ଛେଦ ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଢାଯାଇଥିଲା । କିନ୍ତୁ ଜବରଦଖଲ ସ୍ଥାୟୀ ଭାବେ ହଟିଲାନି । ଏବେ ପୁଣି ନୂଆ କରି ଆଉ ଏକ ଟିମ୍‌ ଗଢ଼ାଯାଇଛି । ଏଣିକି ସ୍ମାର୍ଟ ଜନପଥରୁ ପ୍ରତିଦିନ ଜବରଦଖଲ ଉଚ୍ଛେଦ ହେବ । ଏଥିପାଇଁ ଆଜି ସ୍ୱତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଢାଯାଇଛି ।

ଏଥିରେ ପୁଲିସ ଓ ବିଏସ୍‌ସିଏଲର କର୍ମଚାରୀ ଅଛନ୍ତି । ଏହି ଟିମ୍‌ ପ୍ରତିଦିନ ସକାଳ ୯ଟାରୁ ସନ୍ଧ୍ୟା ୭ଟା ଯାଏ ନିୟମିତ ଜବରଦଖଲ ଉଚ୍ଛେଦ ଅଭିଯାନ କରିବ । ଜନପଥର ଫୁଟପାଥ୍‌ ଓ ସାଇକେଲ ଟ୍ରାକ୍‌ରେ ବସୁଥିବା ଷ୍ଟ୍ରିଟ୍‌ ଭେଣ୍ଡର ବା ଉଠାଦୋକାନୀଙ୍କୁ ହଟାଯିବ । ନୋ ପାର୍କିଂ ଜୋନ୍‌ରେ ଗାଡ଼ି ପାର୍କିଂ କଲେ ଜରିମାନା କରାଯିବ । ଆଜି ଲାଲଚାନ୍ଦ ଜୁଏଲର୍ସ ସାମ୍ନାରେ ନୋ ପାର୍କିରେ ଗାଡ଼ି ପାର୍କିଂ କରିଥିବା ଜଣେ ଲୋକଙ୍କଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ସେହିଭଳି ଜନପଥର ୟୁନିଟ୍‌-୯ରେ ଫୁଟପାଥରେ ଥିବା କିଛି ଫାଷ୍ଟଫୁଡ ଦୋକାନ, ଠେଲାରେ ବିକ୍ରି ଫଳ ଓ ଆଉ କିଛି ଦୋକାନକୁ ଉଚ୍ଛେଦ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.