ଘରକୁ ଫେରିଲେ ନିଖୋଜ ଛାତ୍ର, ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଇ କେଉଁଆଡେ ପଳାଇଥିଲେ
10/03/2023 at 2:26 PM

ନୟାଗଡ ୧୦।୩: ଘରକୁ ଫେରିଲା ପରୀକ୍ଷା ଦେବାକୁ ଯାଇ ନିଖୋଜ ଥିବା ଛାତ୍ର । ନୟାଗଡ ଜିଲ୍ଲା ଦଶପଲ୍ଲା ଉଚ୍ଚ ବିଦ୍ୟାଳୟକୁ ପରୀକ୍ଷା ଦେବାକୁ ଯାଇଥିବା ଜଣେ ଛାତ୍ର ନିଖୋଜ ହୋଇଯାଇଥିବା ନେଇ ପରିବାର ଲୋକ ଜଣାଇବା ପରେ ଚର୍ଚ୍ଚା ଜୋର ଧରିଥିଲା ।

ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲା ଦଶପଲ୍ଲା ଏନ୍ ଏ ସି ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର୍ ପାଟଣା ଗ୍ରାମର ପ୍ରମୋଦ ନାୟକଙ୍କ ପୁଅ ପ୍ରଦୀପ ନାୟକ ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ଦଶପଲ୍ଲା ଉଚ୍ଚବିଦ୍ୟାଳୟକୁ ଯାଇଥିଲେ । ତେବେ ସେ ସ୍କୁଲ୍ ଡ୍ରେସ୍ ପିନ୍ଧିନଥିବାରୁ ତାଙ୍କୁ ବିଦ୍ୟାଳୟ ପରିସରକୁ ଶିକ୍ଷୟିତ୍ରୀ ଛାଡ଼ିନଥିବା ପରିବାର ଲୋକେ ଜଣାଇଥିଲେ । ଏହାପରେ ପ୍ରଦୀପ ଘରକୁ ନଯାଇ କେଉଁଆଡେ ପଳାଇଥିଲେ । ପରିବାର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ତାକୁ ପାଇନଥିଲେ । ଏନେଇ ପରିବାର ଲୋକେ ଥାନାରେ ମଧ୍ୟ କୌଣସି ଅଭିଯୋଗ କରିନଥିଲେ । ତେବେ ବାହାରୁ ସୂଚନା ପାଇ ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିଲା । ଏହା ଭିତରେ ଦିନ ପ୍ରାୟ ସାଢେ ୧୧ଟାରେ ପ୍ରଦୀପ ନିଜେ ଘରକୁ ଫେରିଛି । ସ୍କୁଲ୍ ଡ୍ରେସ୍ ପିନ୍ଧିନଥିବାରୁ ପରୀକ୍ଷାକୁ ବାରଣ କରାଯିବା ଘଟଣାକୁ ଅସ୍ବୀକାର କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ପ୍ରଦୀପ ନିଜେ ସ୍କୁଲ୍ ଡ୍ରେସ୍ ପିନ୍ଧିକରି ଆସୁଛି ବୋଲି କହି ଆଉ ଆସିନଥିବା ସେ କହିଛନ୍ତି । ପରବର୍ତ୍ତି ପରୀକ୍ଷାଗୁଡିକ ସେ ଦେଇପାରିବ ବୋଲି ସେ କହିଛନ୍ତି ।