ଋଷ ସେନା ଉପରେ ୟୁକ୍ରେନ୍‌ର କଡ଼ା ପ୍ରହାର; ୬୩ରୁ ଅଧିକ ଯବାନ ମୃତ ହୋଇଥିବା ସୂଚନା

Published By : Prameya-News7 Bureau | January 02, 2023 IST

ମସ୍କୋ: ଋଷ ଉପରେ ୟୁକ୍ରେନ୍‌ର ଜୋର୍‌ଦାର ଆକ୍ରମଣ। ୟୁକ୍ରେନ୍‌ର ମିସାଇଲ୍‌ ମାଡ଼ରେ ପାଖାପାଖି ୬୩ ଋଷ ସୈନିକଙ୍କର ମୃତ୍ୟୁ ହୋଇଛି। ଆମେରିକାର ଦେଇଥିବା ହିମର୍ସ ସିଷ୍ଟମର ବ୍ୟବହାର କରି ଋଷର ସେନା କ୍ୟାମ୍ପକୁ ଏହି ଆକ୍ରମଣ କରାଯାଇଛି ବୋଲି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ସୂଚନା ଦେଇଛି।

ଏପଟେ ଆକ୍ରମଣରେ ନିଜର ଭୂମିକା ଥିବା ନ କହି ଏଥିରେ ମୃତ୍ୟୁ ସଂଖ୍ୟା ଅଧିକ ବୋଲି ୟୁକ୍ରେନ୍ କହିଛି। ଋଷ ଅକ୍ତିଆର୍‌ରେ ଥିବା ଡୋନେସ୍କର ପୂର୍ବଭାଗରେ ଥିବା ମାକିଭ୍‌କା ସହରରେ ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ବୋଲି ୟୁକ୍ରେନ୍ ସେନା କହିଛି।   

ଋଷ ପ୍ରତିରକ୍ଷା ବିଭାଗ କହିଛି “ ଏକ ଅସ୍ଥାୟୀ ସେନା ଛାଉଣୀରେ ହୋଇଥିବା ୪ଟି ମିସାଇଲ୍‌ ମାଡ଼ରେ ୬୩ ଋଷ ଯବାନଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତ ଯବାନଙ୍କ ପରିବାର ଓ ସହୋଦରଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ।” ତେବେ କେବେ ଏହି ଆକ୍ରମଣ ହେଲା ସେ ନେଇ ଋଷ ପ୍ରତିରକ୍ଷ ମନ୍ତ୍ରାଳୟ ପକ୍ଷରୁ କିଛି ସୂଚନା ମିଳି ନାହିଁ। ତେବେ ୟୁକ୍ରେନ୍ କହିଛି ନୂଆ ବର୍ଷରେ ଏହି ଆକ୍ରମଣ ହୋଇଛି।  

ଏପଟେ ଋଷ ଉପରେ ୟୁକ୍ରେନ୍ କଡ଼ା ଜବାବକୁ ନେଇ ପୁଟିନଙ୍କୁ ଘେରିଛନ୍ତି ସମାଲୋଚକ। ଯୁଦ୍ଧ କ୍ଷେତ୍ରରେ ଭୁଲ ରଣ କୌଶଳ ଯୋଗୁ ୟୁକ୍ରେନ୍‌ ଋଷ ସୈନିକଙ୍କର ମୃତ୍ୟୁ ହୋଇଛି ବୋଲି ସମାଲୋଚକମାନେ କହୁଛନ୍ତି। ଋଷିଆନ ମିଲିଟାରି ଭ୍ଲଗର(ଭିଡିଓ ବନାଉଥିବା) ଦାବି କରିଛନ୍ତି ଏହି ମାକିଭ୍‌କା ସହରରେ ହୋଇଥିବା

ଆକ୍ରମଣରେ ଶତାଧିକ ଋଷ ସୈନିକଙ୍କର ମୃତ୍ୟୁ ହୋଇଛି। ସେହିପରି ଆକ୍ରମଣ ନେଇ ଋଷିଆ ବିଛିନ୍ନତାବାଦୀ ନେତା ଇଗର ଷ୍ଟ୍ରେକୋଭ୍ କହିଛନ୍ତି ଯେ ଜାନୁଆରୀ ୧ ତାରିଖ ଦିନ ୧ଟା ବେଳେ ଆକ୍ରମଣ ହୋଇଥିବା ସେ ଖବର ପାଇଛନ୍ତି। ଏହି ଆକ୍ରମଣରେ ଶତାଧିକ ମୃତାହତ ଓ ଆହତ ହୋଇଥାଇ ପାରନ୍ତି ବୋଲି ସେମାନେ ଦାବି କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.